କନକ ବ୍ୟୁରୋ: ହାତଗୁଞ୍ଜା ନେଇ ଗଳା ବାଟରେ ଭକ୍ତଙ୍କୁ ଛାଡୁଥିଲେ ଜେଟିପି ସ୍କ୍ବାର୍ଡ । ଭିଡ଼ିଓ ଭାଇରାଲ ପରେ କାର୍ଯ୍ୟରୁ ଅନ୍ତର କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ । ସିଂହଦ୍ବାର ସମ୍ମୁଖରେ ସେବାୟତଙ୍କ ପାଇଁ ଉଦ୍ଧିଷ୍ଟ ରାସ୍ତାରେ ଟଙ୍କା ନେଇ ଜଣେ ଜେଟିପି ସ୍କ୍ବାର୍ଡ ଲୋକଙ୍କୁ ଛାଡୁଥିବାର ଭିଡ଼ିଓ ସାମ୍ନାକୁ ଆସିଥିଲା । ଏ ସଂକ୍ରାନ୍ତୀୟ ଭିଡ଼ିଓ ଭାଇରାଲ ହେବାପରେ ଆକ୍ସନ ମୋଡ଼କୁ ଆସିଛି ଶ୍ରୀମନ୍ଦିର ପ୍ରଶାସନ । ସମ୍ପୃକ୍ତ ଜେଟିପିଙ୍କୁ କାର୍ଯ୍ୟରୁ ଅନ୍ତର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ବିଗତ କିଛି ଦିନରେ ସ୍ପାଏ କ୍ୟାମେରା ନେଇ ୩ରୁ ଉର୍ଦ୍ଧ୍ବ ସନ୍ଦିଗ୍ଧ ଧରାପଡ଼ିଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିଛି । କିଛି ଅଧିକାରୀ ଓ କର୍ମଚାରୀଙ୍କ ଟଙ୍କା ଲୋଭ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଆହ୍ବାନ ସୃଷ୍ଟି କରିଛି । ଏହାରି ଭିତରେ ଚେକିଂକୁ କଡ଼ାକଡି କରାଯାଇଛି । ଗତ ପ୍ରାୟ ୩ମାସ ତଳେ ଜେଟିପି ସ୍କ୍ୱାର୍ଡ ନାମରେ ପ୍ରାୟ ୭୫ଜଣଙ୍କୁ ନିଯୁକ୍ତି ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ଏକ ଆଉଟ୍ ସୋର୍ସିଁ ସଂସ୍ଥା ସେମାନଙ୍କୁ ଚୟନ କରିଥିଲା । ତେବେ ଅଳ୍ପ ଦିନ ଚାକିରୀ ଭିତରେ ଏଭଳି ହାତ ଗୁଞ୍ଜା ନେବା ଜେଟିପି ସ୍କ୍ୱାର୍ଡ ଚୟନ ରେ  ଅନିୟମିତତା କୁ ଦର୍ଶାଊଛି ।