କନକ ବ୍ୟୁରୋ: ଓଡିଶାରେ ଇଭି ପ୍ରକଳ୍ପ କରିବନି ଜେଏସଡବ୍ଲୁ । କମ୍ପାନୀ ୪୦ ହଜାର କୋଟିର ପ୍ରକଳ୍ପକୁ ଓଡିଶାରୁ ମହାରାଷ୍ଟ୍ର ସ୍ଥାନାନ୍ତର କରିନେବ । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଗଣମାଧ୍ୟମର ଏପରି ରିପୋର୍ଟକୁ ଖଣ୍ଡନ କରିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ତାଙ୍କ କହିବା ମୁତାବକ, ସେମାନେ ଓଡିଶା ଛାଡିବା ସମ୍ପର୍କରେ ଫାଇନାଲ ହେଇନି । ଆଉ କମ୍ପାନୀ ତାର ପ୍ରକଳ୍ପ ସିଫ୍ଟ କରିବା ନେଇ ମଧ୍ୟ ତାଙ୍କ ପାଖରେ ସୂଚନା ନାହିଁ ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି ।

Advertisment

ଗତ ୭ ମାସ ତଳେ ପୂର୍ବ ସରକାର ଅମଳରେ ଜେଏସଡବ୍ଲୁ କମ୍ପାନୀ ଓଡିଶାରେ ଇଭି କାରଖାନା ପ୍ରତିଷ୍ଠା ନେଇ ଘୋଷଣା କରିଥିଲା । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଆରମ୍ଭ ହେଇଥିଲା । ହେଲେ ଏବେ କିନ୍ତୁ କମ୍ପାନୀ ଏହି ପ୍ରକଳ୍ପକୁ ଓଡିଶାରେ କରିବାକୁ ପଛଘୁଞ୍ଚା ଦେଇଛି । ଓଡିଶା ବଦଳରେ କମ୍ପାନୀ ଏହି ପ୍ରକଳ୍ପକୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିପାରେ ବୋଲି ସୂଚନା ମିଳିଛି ।

ତେବେ ସେପଟେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ କହିବା କଥା, ସେମାନେ ଓଡିଶା ଛାଡିବା ସମ୍ପର୍କରେ ଫାଇନାଲ ହେଇନି । ନିବେଶକମାନେ ସେମାନଙ୍କ ମୁତାବକ ନିବେଶ କରିଥାନ୍ତି, ତେବେ ବିଭିନ୍ନ କାରଣ ପାଇଁ ବିଳମ୍ବ ହୁଏ । ଜେଏସଡବ୍ଲୁ ଇଭି ଆରମ୍ଭରେ ମଧ୍ୟ ବିଳମ୍ବ ହେଇଛି । ହେଲେ ପୂର୍ବ ସରକାର ସମୟରେ କଣ ହେଇଛି, ସେନେଇ ସେ କଥାବାର୍ତ୍ତା କରିବେ । ପ୍ରକଳ୍ପର ସ୍ଥାନ ପରିବର୍ତ୍ତନ ହେବା ନେଇ ତାଙ୍କ ପାଖରେ ସୂଚନା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।