କନକ ବ୍ୟୁରୋ: ରାଜ୍ୟସଭାରେ ଗର୍ଜିଲେ ବିଜେପି ବରିଷ୍ଠ ନେତା ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ବିରୋଧୀଙ୍କ ହଟ୍ଟଗୋଳକୁ ନେଇ ସେ ଏଭଳି କଥା କହିଲେ ଯାହାକୁ ନେଇ ରାଜନୀତିରେ ଖୁବ ଚର୍ଚ୍ଚା ।  ବିରୋଧୀଙ୍କ କାର୍ଯ୍ୟପନ୍ଥା ଓ ଦାୟିତ୍ବ  ବାବଦରେ ବିରୋଧୀ ନେତାକୁ ବତାଇଥିଲେ ।

Advertisment

ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବା ଦିନରୁ ବିରୋଧୀ ବିଭିନ୍ନ ପ୍ରସଙ୍ଗ ନେଇ ହୋହାଲ୍ଲା କରି ଆସୁଛନ୍ତି । କେବେ ବିହାର ଭୋଟର ତାଲିକା ସଂଶୋଧନକୁ ନେଇ ତ କେବେ ଅପରେସନ୍ ସିନ୍ଦୂରକୁ ନେଇ । ଫଳରେ ଲଗାତାର ଗୃହକାର୍ଯ୍ୟ ବାଧିତ ହେଉଛି । ହେଲେ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରିବା ବିରୋଧୀଙ୍କ ଅଧିକାର ବୋଲି କଂଗ୍ରେସ ବରିଷ୍ଠ ନେତା କହିବା ପରେ ଏହାର କଡ଼ା ଜବାବ ଦେଇଛନ୍ତି ନଡ୍ଡା  ।

ନଡ୍ଡା କହିଛନ୍ତି , ’ଗୃହରେ  ସାଂସଦ, ମନ୍ତ୍ରୀଙ୍କ ଉତ୍ତର ମଝିରେ କଥା କହିବା ବିଶୃଙ୍ଖଳା ନ ହୋଇପାରେ କିନ୍ତୁ କେହି ଉତ୍ତର ରଖିବା ବେଳେ ତାଙ୍କ ପାଖରେ ଛିଡ଼ା ହୋଇ ଅଯଥା ଅଣଲୋକତାନ୍ତ୍ରୀକ ନାରା ଦେବା ନିହାତି ବିଶୃଙ୍ଖଳା । ଏହା ପାଖରେ ଛିଡ଼ା ହୋଇ କାହାରି ନାକକୁ ବାଡ଼େଇ ବାଡ଼ି ଭାଙ୍ଗିବା ପରି । ବାକି ରହିଲା ବିରୋଧୀଙ୍କ ଅଧିକାର ଆଉ କାର୍ଯ୍ୟପନ୍ଥା କଥା ।  ବିରୋଧୀ ଭାବେ ମୋର ୪୦ ବର୍ଷର ଅଭିଜ୍ଞତା ରହିଛି । ବିରୋଧୀ  କ’ଣ କରିବା କଥା , କିପରି ରହିବା କଥା ତା ମୋ ଠାରୁ ଶିଖ । ମୋଠାରୁ ଟିପ୍ସ ନିଅ । କାରଣ ଏବେ ତ ବିରୋଧୀ ଭାବେ ମାତ୍ର ୧୦ ବର୍ଷ ପୂରଣ ହୋଇଛି । ଆହୁରି ୩୦ ବର୍ଷ ଏହି ଜାଗାରେ ରହିବାର ଅଛି ’ ।