କନକ ବ୍ୟୁରୋ: ଯାହା ଆମେ ଭୋଗିଛୁ ତାହା ଆଉ କେହି ନଭୋଗୁ
ଆମେ ଯାହା ଦେଖିଛୁ ଆଉ ବିଶ୍ୱ ନଦେଖୁ
ଏହା ଥିଲା ନୋବେଲ ବିଜେତାଙ୍କର କୋହଭରା କେଇପଦ କଥା । ୨୦୨୪ ବର୍ଷ ପାଇଁ  ନୋବେଲ ଶାନ୍ତି ପୁରସ୍କାର ମିଳିଛି ଜାପାନର ସେହି ସଙ୍ଗଠନକୁ ଯିଏ ସାରା ଦୁନିଆକୁ ପରମାଣୁ ହତିଆରର ଭୟାବହତା ବାବଦରେ ବାର୍ତ୍ତା ଦେଉଛି । ଫଳରେ ଦୀର୍ଘ ବର୍ଷ ଧରି ଯେଉଁ ଯନ୍ତ୍ରଣା ଜାପାନବାସୀ ଭୋଗୁଛନ୍ତି ତାହା ଆଉ କୌଣସି ରାଷ୍ଟ ନଭୋଗୁ ବୋଲି ଏନେଇ ଚେତାଇଦେଉଛି ।

Advertisment

ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହେବା ପରେ ଜାପାନର  ସଙ୍ଗଠନ ନିହୋନ୍ ହିଡାନକ୍ୟୋ ସଙ୍ଗଠନର ମୁଖ୍ୟ ମଞ୍ଚ ଉପରେ ନିଜ କୋହ ସମ୍ଭାଳିପାରିନଥିଲେ । କାନ୍ଦି ପକାଇଥିଲେ । ତାଙ୍କ ସହ କାନ୍ଦିଥିଲେ ତାଙ୍କ ସହଯୋଗୀ ତଥ ସଙ୍ଗଠନର ଅନ୍ୟ ବରିଷ୍ଠ ସଦସ୍ୟ । କାରଣ ସେମାନେ ସମସ୍ତେ ସେ ଭୟଙ୍କର ଯନ୍ତ୍ରଣାକୁ ସହିଛନ୍ତି ଯାହା ଦ୍ୱିତୀୟ ବିଶ୍ୱ ସମୟରେ ଜାପାନ ଉପରକୁ ମାଡିଆସିଥିଲା । 

ଶୁକ୍ରବାର ସନ୍ଧ୍ୟାରେ ଘୋଷଣା ହୋଇଥିଲା ନୋବେଲ ଶାନ୍ତି ପୁରସ୍କାର । ୨୦୨୪ ପାଇଁ ଏହି ସ୍ୱତନ୍ତ୍ର ସମ୍ମାନ ଜାପାନର ସଙ୍ଗଠନ ନିହୋନ୍ ହିଡାନକ୍ୟୋକୁ ମିଳିଥିଲା । ଏହି ସଂସ୍ଥା ୧୯୪୫ରୁ ପରମାଣୁ ବୋମା ବିସ୍ଫୋରଣର କଷ୍ଟକୁ ସାରା ବିଶ୍ୱକୁ ଜଣାଇଆସୁଛି  । ତାଙ୍କର ଏହି ପ୍ରଚେଷ୍ଟାକୁ ଶେଷରେ ମାନ୍ୟତା ମିଳିଛି ଏହି କଥା କହି କାନ୍ଦିପକାଇଲେ ସଙ୍ଗଠନର ସହ ଅଧ୍ୟକ୍ଷ ତୋସିୟାକୁ ମିମୋକି । 

୧୯୪୫ ମସିହା ଅଗଷ୍ଟ ୬ ତାରିଖ ଜାପାନ ହିରୋସୀମା ସହର ଉପରେ ପରମାଣୁ ବୋମା ପକାଇଲା ଯୁକ୍ତରାଷ୍ଟ୍ର ଆମେରିକା । ବିସ୍ଫୋରଣରେ ଚାଲିଗଲା ପାଖାପାଖି ୧ ଲକ୍ଷ ୪୦- ହଜାର ଜୀବନ । ଏତିକିରେ ଆମେରିକାର ମନ ବୁଝିଲାନି ଯେ, ଆଉ ୩ ଦିନ ପରେ ପୁଣି ଆଉ ଏକ ପରମାଣୁ ବୋମା ପଡିଲା ଜାପାନର ନାଗାସାକି ସହର ଉପରେ । ଚାହୁଁ ଚାହୁଁ ଚାରିଆଡ ଜଳିପୋଡି ପାଉଁଶ ହୋଇଗଲା । ଏଥିରେ ବି ୭୪ ହଜାର ଲୋକ ପ୍ରାଣ ହରାଇଲେ । ଆଉ ହଜାର ହଜାର ଲୋକ ବିକଳାଙ୍ଗ ହୋଇଗଲେ । ଦୁଇ ଦୁଇଟି ପରମାଣୁ ବୋମା ବର୍ଷଣରେ ସାରା ବିଶ୍ୱ ଦୋହଲିଗଲା । ଯିଏ ମରିଗଲେ ଗଲେ, ହେଲେ ଯିଏ ବଞ୍ଚିଗଲେ ତାଙ୍କୁ ‘ହିବାକୁଶା’ ଭାବେ ସାରା ବିଶ୍ୱ ଜାଣିଲା । ଜୀବନ ସିନା ବଞ୍ଚିଲା ହେଲେ ଜୀବନ ସାରା କଷ୍ଟ ଦେଇଗଲା । କାରଣ ପରମାଣୁ ରେଡିଏସନ ଯୋଗୁଁ ଜାପାନବାସୀଙ୍କୁ କ୍ୟାନ୍ସର ପରି ଘାତକ ରୋଗ ମାଡିବସିଲା । 

ଆଜି ଦିନରେ ସେ କଥା ମନେପଡିଲେ ଲୋମ ଟାଙ୍କୁରୀ ଉଠେ । ଏ ସ୍ମୃତି ମନରେ ସବୁବେଳେ ସତେଜ ହୋଇ ରହିଛି । ୟାରି ଭିତରେ ଯେତେବେଳେ ଆଣ୍ଟି ଅଟୋମିକ ଅର୍ଗାନାଇଜେସନ୍ ନିହୋନ୍ ହିଡାନକ୍ୟୋକୁ ନୋବେଲ ଶାନ୍ତି ପୁରସ୍କାର ମିଳିଲା ମଞ୍ଚ ଉପରେ କାନ୍ଦିଲେ ସଙ୍ଗଠନର ଅଧ୍ୟକ୍ଷ ସିଗେମିତସୁତନାକା ଓ ସହ ଅଧ୍ୟକ୍ଷ ତୋସିୟୁକି ମିମାକି ।  

ଅତୀତର ସ୍କୃତି ଜାପାନକୁ ସାରା ବିଶ୍ୱରେ ଭିନ୍ନ ସ୍ଥାନ ଦେଇଛି । ଜାପାନ ଆଜି ଏକ ଶାନ୍ତିପ୍ରିୟ ରାଷ୍ଟ୍ରରେ ପରିଣତ ହୋଇଛି । କୌଣସି ପରିସ୍ଥିତିରେ ଆଉ ଯୁଦ୍ଧ ନୁହେଁ ବରଂ ଶାନ୍ତି ଓ ସମୃଦ୍ଧିକୁ ଲକ୍ଷ୍ୟ ଆଗକୁ ବଢିବାକୁ ସାରା ବିଶ୍ୱକୁ ବାର୍ତ୍ତା ଦେଇଛି ଜାପାନ ।