କନକ ବ୍ୟୁରୋ: ପାକିସ୍ତାନରେ ସତ କହିଲେ ବା ସତ ଦେଖାଇଲେ ମଲ , ତେଣିକି ସେ ସାମ୍ବାଦିକ ହୁଅନ୍ତୁ ନାଁ କାହିଁକି । ପାକିସ୍ତାନ ସରକାରଙ୍କ ଏକଛତ୍ରବାଦ ଚରମ ସୀମାରେ ପହଞ୍ଚିଛି । ପାକିସ୍ତାନରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ବିବେଚନା କରାଯାଉଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଅପହରଣ କରାଯାଇ ଗିରଫ କରାଯାଉଛି । ଯେଉଁ ସମ୍ବାଦିକ ସରକାରଙ୍କ  ବିରୋଧରେ ମୁହଁ ଖୋଲୁଛନ୍ତି ସେମାନଙ୍କୁ ଗିରଫ କରାଯାଉଛି ଏବଂ ଏଥିରେ ପାକ୍ ସରକାରଙ୍କୁ ସେନାର ପୂର୍ଣ୍ଣ ସମର୍ଥନ ରହିଛି ।

Advertisment

ପାକିସ୍ତାନରେ ଯେଉଁଠି ସରକାରଙ୍କ ବିରୋଧରେ ପ୍ରତିବାଦ କରୁଥିବା ଲୋକଙ୍କ ଉପରକୁ ସେନା ଗୁଳି ଚଳାଇଛି, ସେହି ପାକିସ୍ତାନୀ ସେନା ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛି । ପାକିସ୍ତାନରେ ସରକାରୀ ଏଜେଣ୍ଟ ସାମ୍ବାଦିକଙ୍କୁ ଘରୁ ଅପହରଣ କରୁଛନ୍ତି । ଇସଲାମାବାଦ ସେକ୍ଟର ଜି-୮ର ଚମନ ରୋଡ୍ ସ୍ଥିତ ସାମ୍ବାଦିକ ୱାହିଦ ମୁରାଦଙ୍କୁ ଅଜ୍ଞାତ ବ୍ୟକ୍ତି ଉଠାଇ ନେଇଥିଲେ ଏବଂ ସେ ଏବେ ବି ନିଖୋଜ ଅଛନ୍ତି । ଅନ୍ୟପକ୍ଷରେ ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି ଏଫ୍ଆଇଏ ସାମ୍ବାଦିକ ଫରହାନ ମଲ୍ଲିକଙ୍କୁ ତାଙ୍କ ୟୁଟ୍ୟୁବ୍ ପ୍ଲାଟଫର୍ମରେ ସରକାର ବିରୋଧୀ ଆଲୋଚନା କରୁଥିବା କାରଣରୁ ଗିରଫ କରାଯାଇଛି । 

ସୂଚନା ଅନୁଯାୟୀ, କଳା ପୋଷାକ ପିନ୍ଧିଥିବା କିଛି ଲୋକ ସାମ୍ବାଦିକ ୱାହିଦ ମୁରାଦଙ୍କ ଘରକୁ ଆସି ତାଙ୍କୁ ଜୋରଜବରଦସ୍ତ ନେଇ ଯାଇଥିଲେ । ସେକ୍ଟର ଜି-୮ରେ ଅପହରଣକାରୀଙ୍କୁ ପିଛା କରିବାକୁ ତାଙ୍କ ସହକର୍ମୀ ସୋବନ ଇଫ୍ତିଖାର ରାଜା ଉଦ୍ୟମ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । କଳା ପୋଷାକ ପିନ୍ଧିଥିବା ଅଜ୍ଞାତ ବ୍ୟକ୍ତିମାନେ ଜୋରଜବରଦସ୍ତ ସାମ୍ବାଦିକ ୱାହିଦଙ୍କ ପାଖକୁ ଆସି ତାଙ୍କୁ ଅଟକ ରଖିବା ସହ ତାଙ୍କ ମୋବାଇଲ ଫୋନ୍ ଜବତ କରିଥିବା ତାଙ୍କ ପତ୍ନୀ କହିଛନ୍ତି । ୱାହିଦ୍ ଅଜ୍ଞାତ ଲୋକଙ୍କୁ ପରିଚୟପତ୍ର ଦେଇଥିଲେ, କିନ୍ତୁ ତଥାପି ସେମାନେ ଭିତରକୁ ପଶି ଘରେ ଚଢ଼ଉ କରି ୱାହିଦଙ୍କୁ ନେଇଯାଇଥିଲେ । ପାକିସ୍ତାନୀ ଅଧିକାରୀମାନେ ଏହି ଘଟଣା ଉପରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।