କନକ ବ୍ୟୁରୋ: ବଢିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାର ଅବଧି । ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାକୁ ଆଉ ଏକ ବର୍ଷ ବୃଦ୍ଧି କରାଯାଇଛି । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହାର ସମୟ ସୀମା ଥିଲା । ତେଣୁ ରାଜ୍ୟ ସରକାର ଏହାକୁ ଆଉ ଏକ ବର୍ଷ ନିମନ୍ତେ ବୃଦ୍ଧି କରିଛନ୍ତି । ତେଣୁ ଗତ ବର୍ଷର ତାଲିକା ଚଳିତ ବର୍ଷ ମଧ୍ୟ କାର୍ଯ୍ୟ କରିବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ  ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖରେ ବିଧାନସଭାରେ ଉଠିଥିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ପ୍ରସଙ୍ଗ । ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ଏନେଇ ଗୃହରେ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ରାଜ୍ୟର ସାମ୍ବାଦିକଙ୍କ ପାଇଁ ଉଦ୍ଧିଷ୍ଟ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାର ସମୟ ଅବଧି ଅଗଷ୍ଟ ୩୧ ତାରିଖରେ ଶେଷ ହେଉଛି । ପ୍ରତିବର୍ଷ ଜୁନ୍ ବା ଜୁଲାଇ ମାସରୁ ଏହାର ନବୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେଇଥାଏ । ଆଉ ଚଳିତ ବର୍ଷ ଏହି ପ୍ରକ୍ରିୟା ଆରମ୍ଭ ହେଲାଣି କି ବୋଲି ସେ ପ୍ରଶ୍ନ କରିଥିଲେ । ଏଥିସହ ଏହି ସ୍ୱାସ୍ଥ୍ୟବୀମା ଯୋଜନାକୁ ସରକାର ଚାଲୁ ରଖିବେ ନା ବନ୍ଦ କରିଦେବେ ବୋଲି ସେ ପ୍ରଶ୍ନ କରିଥିଲେ । ଯାହାର ଜବାବ ରଖିଥିଲେ ମଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।