କନକ ବ୍ୟୁରୋ: ବିଧାନସଭାରେ ଉଠିଲା ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ପ୍ରସଙ୍ଗ । ବିଜେଡି ବିଧାୟକଙ୍କ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁରୁବାର ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ଚାଲିଥିଲା ବିଧାନସଭା । ଆଉ ବିରୋଧୀଙ୍କ ଏହି ହଟ୍ଟଗୋଳ ଭିତରେ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଆଜି ଗୃହରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ସମ୍ପର୍କରେ ପ୍ରଶ୍ନ କରିଥିଲେ । 

ସେ ପଚାରିଥିଲେ ଯେ, ରାଜ୍ୟର ସାମ୍ବାଦିକଙ୍କ ପାଇଁ ଉଦ୍ଧିଷ୍ଟ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାର ସମୟ ଅବଧି ଅଗଷ୍ଟ ୩୧ ତାରିଖରେ ଶେଷ ହେଉଛି । ପ୍ରତିବର୍ଷ ଜୁନ୍ ବା ଜୁଲାଇ ମାସରୁ ଏହାର ନବୀକରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେଇଥାଏ । ଆଉ ଚଳିତ ବର୍ଷ ଏହି ପ୍ରକ୍ରିୟା ଆରମ୍ଭ ହେଲାଣି କି ବୋଲି ସେ ପ୍ରଶ୍ନ କରିଥିଲେ । ଏଥିସହ ଏହି ସ୍ୱାସ୍ଥ୍ୟବୀମା ଯୋଜନାକୁ ସରକାର ଚାଲୁ ରଖିବେ ନା ବନ୍ଦ କରିଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି । 

ବିଜେଡି ବିଧାୟକଙ୍କ ଏହି ପ୍ରଶ୍ନରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସାମ୍ବାଦିକଙ୍କ ପାଇଁ ଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାର ନବୀକରଣ ପ୍ରକ୍ରିୟା ବର୍ତ୍ତମାନ ସରକାରଙ୍କ ବିଚାରାଧୀନ ଅଛି। ନିଷ୍ପତ୍ତି ହେଲେ, ଧାର୍ଯ୍ୟ ସମୟ ପୂର୍ବରୁ ନବୀକରଣ କରାଯିବ । ତେବେ ଏହି ଯୋଜନାକୁ ବନ୍ଦ କରିବା ପାଇଁ କୌଣସି ପ୍ରସ୍ତାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ଦେଇ ସୂଚନା ଦେଇଛନ୍ତି ।