କନକ ବ୍ୟୁରୋ : ଆଧୁନିକ ଜୀବନଶୈଳୀରେ ଆଣ୍ଠୁଗଣ୍ଠି ବିନ୍ଧା ଏକ ସାଧାରଣ ସମସ୍ୟା ପାଲଟିଛି । କେବଳ ବୟସ୍କ ନୁହଁନ୍ତି, ଯୁବପିଢି ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆୟୁର୍ବେଦ ଶାସ୍ତ୍ରରେ ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅନେକ ପ୍ରାକୃତିକ ଓ ପ୍ରଭାବଶାଳୀ ଉପଚାର ରହିଛି, ଯାହା ଶରୀରରେ ବାତ ଏବଂ କଫର ଅସନ୍ତୁଳନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
ଆୟୁର୍ବେଦିକ ଔଷଧି ଓ ଘରୋଇ ଉପଚାର:
• ଅଶ୍ୱଗନ୍ଧା ଓ ଶୁଣ୍ଠି: ଆୟୁର୍ବେଦ ଅନୁସାରେ, ଅଶ୍ୱଗନ୍ଧା ଏବଂ ଶୁଣ୍ଠି ଗଣ୍ଠି ବିନ୍ଧା ପାଇଁ ବେଶ ଉପକାରୀ । ୪୦ ଗ୍ରାମ ଅଶ୍ୱଗନ୍ଧା ଗୁଣ୍ଡ, ୨୦ ଗ୍ରାମ ଶୁଣ୍ଠି ଗୁଣ୍ଡ ଏବଂ ୪୦ ଗ୍ରାମ ମିଶ୍ରିକୁ ଏକାଠି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ୩ ଗ୍ରାମ ମାତ୍ରାରେ ଏହି ମିଶ୍ରଣକୁ ଉଷୁମ କ୍ଷୀର ସହିତ ସେବନ କଲେ ଯନ୍ତ୍ରଣା ଓ ଫୁଲାରୁ ଆରାମ ମିଳିଥାଏ ।
• ହଳଦୀ କ୍ଷୀର: ହଳଦୀରେ ଥିବା ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଯନ୍ତ୍ରଣା କମ୍ କରିବାରେ ସାହାଯ୍ୟ କରେ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ୍ ଉଷୁମ କ୍ଷୀରରେ ଏକ ଚାମଚ ହଳଦୀ ଗୁଣ୍ଡ ମିଶାଇ ପିଇବା ଦ୍ୱାରା ଆରାମ ମିଳେ ।
• ମେଥି: ରାତିରେ ଏକ ଚାମଚ ମେଥି ଦାନାକୁ ପାଣିରେ ଭିଜାଇ ସକାଳୁ ତାହାକୁ ଖାଆନ୍ତୁ । ମେଥି ଦାନା ପ୍ରଦାହ କମାଇବାରେ ସହାୟକ ହୋଇଥାଏ ।
• ପିଜୁଳି ପତ୍ର: କିଛି ସତେଜ ପିଜୁଳି ପତ୍ରକୁ ବାଟି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ସାମାନ୍ୟ ଗରମ କରି ବିନ୍ଧା ହେଉଥିବା ସ୍ଥାନରେ ଲଗାଇ ଏକ କପଡା ବାନ୍ଧି ଦିଅନ୍ତୁ । ରାତିସାରା ଏହାକୁ ଲଗାଇ ରଖିଲେ ଯନ୍ତ୍ରଣାରୁ ଉପଶମ ମିଳିଥାଏ ।
ତେଲ ମାଲିସ ଓ ଜୀବନଶୈଳୀ:
• ତେଲ ମାଲିସ: ସୋରିଷ ତେଲରେ ୮-୧୦ କୋଲା ରସୁଣ, କିଛି ମେଥି ଦାନା, ଜୁଆଣି ଏବଂ ଶୁଣ୍ଠି ଗୁଣ୍ଡ ପକାଇ ଭଲଭାବେ ଗରମ କରନ୍ତୁ । ଥଣ୍ଡା ହେବା ପରେ ଏହି ତେଲକୁ ଆଣ୍ଠୁରେ ମାଲିସ କରନ୍ତୁ । ଏହାଦ୍ୱାରା ରକ୍ତ ସଞ୍ଚାଳନ ବଢ଼ିଥାଏ ଏବଂ ମାଂସପେଶୀକୁ ଆରାମ ମିଳେ।
ଏ ସବୁ କରିବା ସହ ନିଜର ଖାଦ୍ୟପେୟ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ଆଣ୍ଠୁଗଣ୍ଠି ବିନ୍ଧା ହେଉଥିଲେ ୟୁରିକ୍ ଏସିଡ୍ ବୃଦ୍ଧି କରୁଥିବା ଖାଦ୍ୟଠୁ ଦୂରେଇ ରୁହନ୍ତୁ , ଯଥା - ଡାଲି, ଦହି, ଭେଣ୍ଡି ଆଦି ଖାଦ୍ୟ । ନିଜ ଖାଦ୍ୟରେ ଅଦା, ରସୁଣ ଓ ହଳଦୀ ପରି ଜିନିଷ ସାମିଲ କରନ୍ତୁ। ହାଲୁକା ବ୍ୟାୟାମ ଏବଂ ଯୋଗାସନକୁ ନିଜ ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ । ଜଣେ ଫିଜିଓଥେରାପିଷ୍ଟଙ୍କ ପରାମର୍ଶରେ ବ୍ୟାୟାମ କରିବା ଅଧିକ ଲାଭଦାୟକ ହୋଇଥାଏ ।
ଯଦି ଯନ୍ତ୍ରଣା ଅସହ୍ୟ ହୁଏ କିମ୍ବା ଫୁଲା ଓ ଲାଲ ପଡିବା ଭଳି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ଆୟୁର୍ବେଦିକ ଉପଚାର ସହିତ ସଠିକ୍ ଜୀବନଶୈଳୀ ଆପଣାଇଲେ ଆଣ୍ଠୁଗଣ୍ଠି ବିନ୍ଧାରୁ ଦୀର୍ଘସ୍ଥାୟୀ ମୁକ୍ତି ମିଳିପାରିବ । କିନ୍ତୁ ଏହି ସବୁ ଉପଚାରକୁ ଆପଣେଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ ନିହାତି କରନ୍ତୁ ।