କନକବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭେଟ୍‌ଘାଟ୍। ନରେନ୍ଦ୍ର ମୋଦୀଙ୍କୁ ଆଲିଙ୍ଗନ କଲେ ଆମେରିକା ରାଷ୍ଟ୍ରପତି। କ୍ବାଡ୍ ଶିଖର ସମ୍ମିଳନୀ ଶେଷ ହେବା ପରେ ଦୁଇ ଜଣ କିଛି ସମୟ ପାଇଁ ଏକାଠି ଆଲୋଚନା କରିଥିଲେ। କ୍ବାଡ୍ ଶିଖର ସମ୍ମିଳନୀ ପୂର୍ବରୁ ଦୁଇ ନେତାଙ୍କ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା ହୋଇଛି।

Advertisment

ଭାରତ-ଆମେରିକା ସମ୍ପର୍କକୁ ଅଧିକ ସୁଦୃଢ କରିବା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା କରାଯାଇଛି। ଏହା ସହ ଅନେକ ବୈଶ୍ବିକ ପ୍ରସଙ୍ଗରେ ଦୁଇ ନେତା ଚର୍ଚ୍ଚା କରିଛନ୍ତି। ତିନି ଦିନିଆ ଆମେରିକା ଗସ୍ତରେ ଯାଇ କ୍ବାଡ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ। 

ଏଥିରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ବ ଅଶାନ୍ତି ଓ ଦ୍ବନ୍ଦ ଭିତରେ ଥିବାବେଳେ ମାନବିକତା ପାଇଁ କ୍ବାଡ୍ ଜରୁରୀ। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ଉପରେ ଗୁରୁତ୍ବ ଦେଉଥିବା ସମଭାବାପନ୍ନ ଦେଶମାନଙ୍କର ଏକ ପ୍ରମୁଖ ମଞ୍ଚ ଭାବେ କ୍ବାଡ୍ ଉଭା ହୋଇଛି।

ବୈଠକରେ ସ୍ବାସ୍ଥ୍ୟ, ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ନୂତନ ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି, ଯୋଗାଯୋଗ ଏବଂ ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ସହଯୋଗ ଉପରେ କ୍ବାଡ୍ ନେତା ଆଲୋଚନା କରିଛନ୍ତି। କ୍ବାଡ୍ ହେଉଛି ଅଷ୍ଟ୍ରେଲିଆ, ଭାରତ, ଜାପାନ ଓ ଆମେରିକା ମଧ୍ୟରେ ଏକ କୂଟନୈତିକ ଭାଗିଦାରୀ ଯାହା ଏକ ମୁକ୍ତ, ସ୍ଥିର ଏବଂ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗରକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ।