କନକ ବ୍ୟୁରୋ: କ୍ୟାନ୍ସର୍ରେ ପୀଡ଼ିତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ । ପ୍ରୋଷ୍ଟେଟ୍ କ୍ୟାନ୍ସର୍ ହୋଇଥିବା ନେଇ ତାଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ଗତ ସପ୍ତାହରେ ବାଇଡେନ୍ଙ୍କ ମୁତ୍ରାଶୟରେ ସମସ୍ୟା ହେବା ପରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ଏହାପରେ ସେ ପ୍ରୋଷ୍ଟେଟ୍ କ୍ୟାନ୍ସର୍ରେ ପୀଡ଼ିତ ଥିବା ନେଇ ଜଣାପଡ଼ିଛି । ୮୨ ବର୍ଷୀୟ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏବେ ଡାକ୍ତରୀ ଦଳର ନିରୀକ୍ଷଣରେ ରହିଛନ୍ତି । ଗତ ଜାନୁଆରି ମାସରେ ସେ ହ୍ୱାଇଟ୍ ହାଉସ୍ ଛାଡ଼ିବା ପରେ ସର୍ବସାଧାରଣରେ ଖୁବ୍କମ୍ ନଜର ଆସିଛନ୍ତି । ତେବେ କାହିଁକି ବାଇଡେନ୍ଙ୍କ ପ୍ରୋଷ୍ଟେଟ୍ କ୍ୟାନ୍ସର୍ ଚିକ୍ତିତ୍ସା କଷ୍ଟକର ବୋଲି କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ?
ପ୍ରୋଷ୍ଟେଟ୍ କ୍ୟାନ୍ସର୍ ବାଇଡେନ୍ଙ୍କ ବୋନ୍କୁ ସଂକ୍ରମିତ କରିଥିବା ନେଇ ରିପୋର୍ଟ ଆସିଛି । ଅର୍ଥାତ ସେ ଷ୍ଟେଜ୍-୪ରେ ରହିଛନ୍ତି । ତେଣୁ ବାଇଡେନ୍ଙ୍କ କ୍ୟାନ୍ସର୍ ଚିକିତ୍ସା ମୁସ୍କିଲ୍ ହୋଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି । ବର୍ତ୍ତମାନ ସମୟରେ ଏହାକୁ କେବଳ ଚିକିତ୍ସା ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ । ଏବେ ବାଇଡେନ୍ଙ୍କ ବିକଳ୍ପ ଚିକିତ୍ସା ପାଇଁ ଚିନ୍ତା କରାଯାଉଥିବା ଚର୍ଚ୍ଚା ହେଉଛି । କିନ୍ତୁ ଏହାକୁ ନେଇ ବାଇଡେନ୍ଙ୍କ ଅଫିସ୍ ପକ୍ଷରୁ କୌଣସି ସବିଶେଷ ସୂଚନା ଦିଆଯାଇନାହିଁ ।
ଓରୋଲ୍ୟାଣ୍ଡ୍ ହେଲ୍ଥ୍ ଗ୍ରୁପ୍ର ୟୁରୋଲୋଜିଷ୍ଟ୍ ଡାକ୍ତର ବ୍ରହ୍ମଭଟ୍ଟଙ୍କ କହିବା ମୁତାବକ ବାଇଡେନ୍ଙ୍କ ଏଣ୍ଡ୍ରୋଜେନ୍ ଥେରାପି ହୋଇପାରିବ । ଯେଉଁମାନେ ପ୍ରୋଷ୍ଟେଟ୍ କ୍ୟାନ୍ସର୍ରେ ପୀଡ଼ିତ ହୁଅନ୍ତି, ସେମାନଙ୍କ ରୋଗ ଚିହ୍ନଟ ହେଉହେଉ ଚିକିତ୍ସା ଆରମ୍ଭ ହୋଇଯାଇଥାଏ । ପ୍ରଥମେ ଏଣ୍ଡ୍ରୋଜେନ୍ ଡିପ୍ରିବେସନ୍ ଥେରାପିରୁ ଚିକିତ୍ସା ଆରମ୍ଭ ହୋଇଥାଏ । ଏହାଦ୍ୱାରା କ୍ୟାନ୍ସର୍ ସେଲ୍ ସଂକ୍ରମଣକୁ ଧିମା କରିବାକୁ ପ୍ରୟାସ କରାଯାଇଥାଏ । ହେଲେ ରିପୋର୍ଟ ମୁତାବକ କ୍ୟାନ୍ସର୍ ବାଇଡେନ୍ଙ୍କ ବୋନ୍କୁ ସଂକ୍ରମଣ କରିଛି । ତାଙ୍କ ଚିକିତ୍ସା କରିବା ମେଡିକାଲ ଟିମ୍ ପାଇଁ ସହଜ ହେବନି । ଚିକିତ୍ସାବିଜ୍ଞାନ ଭାଷାରେ ବାଇଡେନ୍ ଆଗ୍ରେସିଭ୍ ପ୍ରୋଷ୍ଟେଟ୍ କ୍ୟାନ୍ସର୍ରେ ପୀଡ଼ିତ ।
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମୟରେ ହିଁ ବାଇଡେନ୍ଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଶାରୀରିକ ସମସ୍ୟା ଯୋଗୁଁ ସେ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରୁ ଓହରି ଯାଇଥିଲେ । ତାଙ୍କ ସ୍ଥାନରେ ଡେମୋକ୍ରାଟିକ ପାର୍ଟି ତରଫରୁ କମଳା ହାରିସ ଆମେରିକା ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।
ଏବେ ବାଇଡେନ୍ କ୍ୟାନ୍ସର୍ରେ ପୀଡ଼ିତ ହୋଇଥିବା ନେଇ ତାଙ୍କ ଅଫିସ ତରଫରୁ ସୂଚନା ଦିଆଯାଇଛି । ସେ ଡାକ୍ତରୀ ଦଳର ନିରୀକ୍ଷଣରେ ରହିଥିବା ବେଳେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ତେବେ ଜାତୀୟ ଗଣମାଧ୍ୟମରେ ଏବେ ବାଇଡେନ୍ଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଭାରି ଚର୍ଚ୍ଚା ।
Follow Us