କନକ ବ୍ୟୁରୋ: ସାଧାରଣତଃ ଯୁବପୀଢ଼ି ଭଲ ଚାକିରି ଟିଏ କରିବା ପାଇଁ ବିଭିନ୍ନ ପ୍ରକାର କୋର୍ସ କରିଥାନ୍ତି, ଏବଂ ଆଶା ରଖିଥାନ୍ତି ଭଲ ଚାକିରି କରି ଭଲ ଦରମା ପାଇବା ପାଇଁ । ହେଲେ ଅଧିକାଂଶରେ ତାହା ପୂରଣ ହୋଇପାରେନା, କାରଣ କେଉଁଠି ଦରମା କମ ଥାଏ ତ କୋଉଠି ଭଲ ଚାକିରି ଖଣ୍ଡେ ମିଳେନା କିନ୍ତୁ ଥରେ ଭାବନ୍ତୁ, ଯଦି କେହି ୫ କୋଟି ଟଙ୍କା ପ୍ୟାକେଜ ଛାଡ଼ି ଜଣେ ପ୍ରଶାସନିକ ଅଧିକାରୀ ହୁଅନ୍ତି ଏବଂ ହଠାତ୍ ଦୁଇ ବର୍ଷ ପରେ ସେ ଇସ୍ତଫା ଦିଅନ୍ତି, ତେବେ ଆପଣ କ’ଣ କହିବେ? ଏଭଳି ଏକ କାହାଣୀ ରାଜସ୍ଥାନରୁ ଆସିଛି ଯାହାକୁ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

Advertisment

ରାଜସ୍ଥାନର ଜଣେ ପ୍ରଶାସନିକ ଅଧିକାରୀ ହଠାତ ୨ ବର୍ଷ ମଧ୍ୟରେ ଇସ୍ତଫା ଦେଲେ ଯାହାକି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏତେ ପରିଶ୍ରମ ପରେ ମିଳିଥିବା ସରକାରୀ ଚାକିରିକୁ ଆଖି ପିଛୁଳାକେ ଛାଡିଦେଇଥିବା ଅଧିକାରୀ ଜଣକ ହେଉଛନ୍ତି ରାଜସ୍ଥାନ ଜୟପୁରର ଅଙ୍କିତ କୁମାର ଅବସ୍ତି । ସେ ରାଜସ୍ଥାନର ଜୟପୁରରେ ଏକ୍ସାଇଜ୍ ଅଫିସର ଭାବରେ କାର୍ୟ୍ୟ କରୁଥିଲେ କିନ୍ତୁ ଅଙ୍କିତ ଦୁଇ ବର୍ଷ ଦଶ ମାସ କାର୍ୟ୍ୟ କରିବା ପରେ ଚାକିରିରୁ ଇସ୍ତଫା ଦେଲେ । ଏହା ପରେ ସବୁ ସ୍ଥାନରେ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ଏନେଇ ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା ସେ ଚକିତ କଲାପରି ଉତ୍ତର ରଖିଥିଲେ । ତାଙ୍କ ସରକାରୀ ଚାକିରି ଛାଡ଼ିବା ପଛରେ ତାଙ୍କ ସମ୍ପର୍କୀୟ ବୋଲି କହିଥିଲେ । ଅଙ୍କିତ କହିଛନ୍ତି ଯେ, ସେ ରାଜସ୍ଥାନର ବୈଶାଳୀ ନଗରରେ ଏକ ବଙ୍ଗଳା ନିର୍ମାଣ କରିଥିଲେ ଯାହାପରେ ଲୋକମାନେ ତାଙ୍କ ବିଷୟରେ ଅପପ୍ରଚାର କରିଥିଲେ । ସେ ଅବାକରୀ ଅଫିସର ହୋଇଥିବାରୁ ତାଙ୍କୁ ଲାଞ୍ଚ ମିଳୁଥିବ ବୋଲି ଲୋକେ ଟାହିଟାପରା କରୁଥିଲେ । ତେଣୁ ତାଙ୍କୁ ଲାଗିଲା ସେ ଯଦି ନିଜର କଷ୍ଟ ଉପାର୍ଜିତ ଅର୍ଥକୁ କିଛି ବି କାମରେ ଲଗାନ୍ତି ତାକୁ ଲୋକେ ଲାଞ୍ଚ ସହ ତୁଳନା କରିବେ । ଏଭଳି କିଛି ଅନୁଭବ କରି ସେ ଚାକିରିରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲେ । 

ସରକାରୀ ଚାକିରି ବ୍ୟତୀତ ଅଙ୍କିତ କୁମାର ଅନେକ ପ୍ରକାରର କାମ କରନ୍ତି । ଯେମିତି କି ସେ ୟୁଟ୍ୟୁବ୍ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଯୁବବର୍ଗଙ୍କୁ ପ୍ରେରିତ କରନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ପାଖାପାଖି ଏକ କୋଟି ଫଲୋଅର୍ସ ଅଛନ୍ତି । ଅଙ୍କିତ କୁହନ୍ତି କି, ସେ ୨୦୧୧ ମସିହାରୁ ଶିକ୍ଷକତା କରିଆସୁଛନ୍ତି, ଦିଲ୍ଲୀ, କୋଟା ସମେତ ଅନେକ  ଜାଗାରେ ଅନଲାଇନ୍ ପ୍ଲାଟଫର୍ମରେ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି । ଅନେକ କୋଚିଂ ସେଣ୍ଟର ଏବଂ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ବାର୍ଷିକ ପ୍ରାୟ ୫ କୋଟି ଟଙ୍କା ରୋଜଗାର କରୁଥିଲେ ଅଙ୍କିତ କିନ୍ତୁ ପ୍ରଶାସନିକ ଅଧିକାରୀ ହେବା ପାଇଁ କୋଚିଂ ପେଶାକୁ ଛାଡ଼ିଦେଇଥିଲେ । ପରେ ନିଜକୁ ଭଲ ମଣିଷ ପ୍ରମାଣ କରିବାକୁ ଯାଇ ସେ ସରକାରୀ ପଦରୁ ଇସ୍ତଫା ଦେଇଛନ୍ତି ।