କନକ ବ୍ୟୁରୋ : ସରକାରୀ ଚାକିରି ଖଣ୍ଡିଏ ପାଇଁ ଆଶାୟୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲୁଛି । ପ୍ରତିବର୍ଷ ଏହି ତାଲିକାରେ ଯୋଡ଼ି ହେଉଛନ୍ତି ନୂଆ ଆଶାୟୀ । ଏହାର ସୁଯୋଗ ନେଇ ଆଶାୟୀଙ୍କୁ ଲୁଟୁଛନ୍ତି ଦଲାଲ । ଯିଏ ଟଙ୍କା ଦେଲା ସେ ଚାକିରି କଲା, ନହେଲେ ନାହିଁ । ରାତି ଦିନ ଅକ୍ଳାନ୍ତ ପରିଶ୍ରମ କରି ପାଠ ପଢ଼ିଲେ ବି ତାର ମୂଲ୍ୟ କିଛି ରହୁନି । ଏସି ଘରେ ବସି ଚାକିରିର ସଉଦା କରୁଥିବା ବାବୁ କେମିତି ବୁଝିବେ ବିନା ଫ୍ୟାନରେ କେମିତି ପଢ଼େ ଛାତ୍ର । କେମିତି ଭଙ୍ଗା ଛାତରେ ସରକାରୀ ଚାକିରିର ସ୍ବପ୍ନ ଦେଖେ । ପ୍ରତିଟି କାନ୍ଥ ଫାଟିଯାଇଛି, ଖପରା ଘରେ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତି ଚାଲିଛି । ନିଜେ ନିଜର ମନୋବଳ ବଢ଼ାଇବା ପାଇଁ କାନ୍ଥରେ କିଏ ଲେଖିଛି ହାଇଡ୍ ୟୋର ପେନ୍ ତ ଆଉ କିଏ ଲେଖିଛି ହାର୍ଡ ୱର୍କ 100% । ଏହା ଭିତରେ ପରିବାରର ଆର୍ଥିକ ମେରୁଦଣ୍ଡ ହେବାକୁ ଅହରହ ସ୍ବପ୍ନ ଦେଖୁଛନ୍ତି ଏହି ଆଶାୟୀମାନେ ।
 
ଗୋଟିଏ ପଟେ ଚାକିରି କିଣିବାକୁ ଲକ୍ଷ ଲକ୍ଷର ଟଙ୍କାର ଡିଲ୍ ହେଉଛି ।  ଆଉ ଏଠି ଚାକିରି ପାଇଁ ସଂଘର୍ଷମୟ ଜୀବନ ଜିଉଁଛି ଆଶାୟୀ । ଏଠି ଯାହା ପାଖରେ ଟଙ୍କା,ସିଏ ଚାକିରି ପାଇଁ ପ୍ରଥମ ପସନ୍ଦ ବନିଯାଉଛି । କିନ୍ତୁ ବର୍ଷ ବର୍ଷ ଧରି ପରିଶ୍ରମ ପରେ ବି ଟଙ୍କା ନଥିବାରୁ ସ୍ବପ୍ନରେ ଧୂଳି ଜମୁଛି । ସମ୍ବଲପୁରର ଫାଟକ ଅଞ୍ଚଳରେ ଏମିତି ଅନେକ ଚାମ୍ବର ରହିଛି ଯାହା ଜରାଜୀର୍ଣ୍ଣ ଅବସ୍ଥାରେ ଅଛି । ତଥାପି ଘରଭଡ଼ା ଅନ୍ୟ ସ୍ଥାନ ଅପେକ୍ଷା ଏଠାରେ କମ୍ ହୋଇଥିବାରୁ ଆଶାୟୀ ଛାତ୍ର ଏଇଠି ରହି ପାଠ ପଢ଼ୁଛନ୍ତି । କିଏ ୪ ବର୍ଷ ହେଲା ପରିଶ୍ରମ କରୁଛି ତ ଆଉ କିଏ ୮ ବର୍ଷ ହେଲା ସଂଘର୍ଷ କରୁଛି । ପରୀକ୍ଷା ପାଇଁ ପ୍ରସ୍ତୁତି ବେଳେ କେବେ ପ୍ରଶ୍ନପତ୍ର ଲିକ୍ ପୁଣି କେବେ ଚାକିରି ବିକ୍ରି ହେଉଥିବାରୁ ପରୀକ୍ଷା ବାତିଲର ଖବର ଏମାନଙ୍କୁ ବାରମ୍ବାର ଭାଙ୍ଗୁଛି । ତଥାପି ପିଢ଼ି ପିଢ଼ିର ଗରିବୀ ଦୂର କରିବାକୁ ପୁଣି ସଳଖି ଏକାସାଙ୍ଗରେ ଭ୍ରଷ୍ଟ ସିଷ୍ଟମ୍ ସହ ଲଢ଼ୁଛନ୍ତି । 

Advertisment