କନକ ବ୍ୟୁରୋ : କେମିତି ନିରିହ ଚାକିରି ଆଶାୟୀଙ୍କୁ ଠକୁଥିଲେ ବିଜେଡି ନେତା । ତାହାର ଏକ୍ସକ୍ଲୁସିଭ ପ୍ରମାଣ ଏବେ କନକ ନ୍ୟୁଜ୍ ହାତରେ ଲାଗିଛି । ପାଣ୍ଡିଆନ୍ ଶଳା ପରିଚୟ ଦେଇ ବିଜେଡି ନେତାଙ୍କୁ ନେଇ ରୀତିମତ ଏକ ରାକେଟ ଚଲାଇଥିଲେ ମହାଠକ ରମେଶ ଚନ୍ଦ୍ର ରାଉତ । ରମେଶ ରାଉତ, ସସ୍ମିତା ମାଝୀ ଓ ଜୀବନ ସାହୁଙ୍କ ସବୁ କଳା କାରନାମାର ଦସ୍ତାବିଜ ଏବେ କନକ ନ୍ୟୁଜ୍ ହାତରେ ।  ନିଜକୁ ମିଶନ ଶକ୍ତିର ଓଏଏସ୍ ଅଧିକାରୀ ତଥା ସୁଜାତାଙ୍କ ଭାଇର ପରିଚୟ ଦେଇ ବିଜେଡି ନେତାଙ୍କୁ ନେଇ ଏକ ନେଟୱର୍କ ତିଆରି କରିଥିଲେ ରମେଶ ଚନ୍ଦ୍ର ରାଉତ। ପିଲାଙ୍କୁ ଚାକିରି ଓ ବିଭିନ୍ନ ସରକାରୀ ଯୋଜନାରେ ଲାଭ ଦେବା ନାଁରେ କୋଟି କୋଟି ଟଙ୍କା ଚଳୁ କରୁଥିଲେ ଏହି ମହା ଠକ ଦଳ । ମାଲକାନଗିରି ଆରଟିଓ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର ଚାକିରି ଲାଗି ୩ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇ ଥିବା ଏହି ପତ୍ରରୁ ସ୍ପଷ୍ଟ। 

ତେବେ ଏପରି କିଛି ନିଯୁକ୍ତି ହୋଇ ନଥିବା ମାଲକାନଗିରି ଆରଟିଓ କହିଛନ୍ତି । ପ୍ରାୟ ଦୁଇ କୋଟି ୮୩ ଲକ୍ଷ ଟଙ୍କା ବ୍ୟାଙ୍କ ଖାତାରେ ଜମା ହୋଇଥିବା ବେଳେ ଅତି ଚତୁରତାର ସହ ସବୁ ଟଙ୍କା ଜମା ଖାତାରୁ ଉଠାଣ ହୋଇଛି । ସସ୍ମିତା ମାଝୀ ଓ ତାଙ୍କ ସମ୍ପର୍କୀୟଙ୍କ ଜମା ଖାତାକୁ ଲକ୍ଷ ଲକ୍ଷ ଟଙ୍କା ଏହି ଆକାଉଣ୍ଟରେ ଜମା ହୋଇ ଥିବା ବେଳେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ଜୀବନ ସାହୁଙ୍କ ଜମା ଖାତାରୁ ସର୍ବାଧିକ ଟଙ୍କା ଜମା ହୋଇଛି । ଜୀବନ ସାହୁ ଓ ତାଙ୍କ ସମ୍ପର୍କୀୟଙ୍କ ଜମା ଖାତାରୁ ଗତ ୨୦୧୩ ଜାନୁଆରୀ ମାସରୁ ଲକ୍ଷ ଲକ୍ଷ ଟଙ୍କା ଜମା ହୋଇ ଚାଲୁଥିବା ଏହି ଷ୍ଟେଟମେଣ୍ଟରୁ ସ୍ପଷ୍ଟ ହୋଇଛି । ମାଥିଲି ଥାନାରେ ଏନେଇ ୩ ଜଣ ମାମଲା ରୁଜୁ କରି ଥିବା ବେଳେ ବହୁ ନୂଆ ନୂଆ ନା ଏହି ଷ୍ଟେଟମେଣ୍ଟରେ ଉଲ୍ଲେଖ ରହିଛି । ବିଦେଶୀ ମହାନ୍ତି ଓ ଭାଗ୍ୟଲକ୍ଷ୍ମୀ ମହାନ୍ତି ଗତ ୨୦୨୩ ଅକ୍ଟୋବର ମାସରେ ୩ଟି କିସ୍ତିରେ ୫ ଲକ୍ଷ । ରାଜୀବ କୁମାର ବୈଜ ୪ ଲକ୍ଷ ୫୦ ହଜାର, ମହେନ୍ଦ୍ର କୁମାର ଚାର୍କୀ ଦେଢ ଲକ୍ଷ ଟଙ୍କା ସମେତ ୫୦ରୁ ଉର୍ଦ୍ଧ ନୂଆ ନୂଆ ନାରୁ ଟଙ୍କା ଆସି ଥିବା ଏହି ବ୍ୟାଙ୍କ ଷ୍ଟେଟମେଣ୍ଟରୁ ଜଣାପଡ଼ିଛି । ତେବେ ଏହି ଘଟଣା ପଛର ମୁଖ୍ୟ କାର୍ପଟଦାର କିଏ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।