କନକ ବ୍ୟୁରୋ: ମହାନଦୀକୁ ବିଷାକ୍ତ କରୁଛି ବରଗଡ଼ ଜିଲ୍ଲାର ଜିରା ନଦୀ । ପାଣିକି ସ୍ପର୍ଶ କରିବା ବି ବିପଦମୁକ୍ତ ନୁହଁ ବୋଲି ପରୀକ୍ଷାରୁ ଜଣାପଡିଛି । ଏନଜିଟିରେ ଏହି ମାମଲା ଚାଲିଥିବାବେଳେ ବରଗଡ଼ ପୌରପାଳିକା ଉପରେ ବର୍ଷିଛନ୍ତି ଏନଜିଟି । କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି ।
ଜିରା ନଦୀରେ ଗାଧୋଇବା ବିପଦପୂର୍ଣ୍ଣ । ତଥାପି ବାଧ୍ୟ ହୋଇ ଏହି ପାଣି ବ୍ୟବହାର କରୁଛନ୍ତି ବରଗଡ଼ବାସୀ । ଧନୁଯାତ୍ରା ସମୟରେ ଯମୁନା ପାଲଟିଯାଉଥିବା ଏହି ନଦୀ ଏବେ ପାଲଟିଛି ଦୁଃଖର କାରଣ । କେବଳ, ବରଗଡ଼ବାସୀ ଏଥିପାଇଁ ପ୍ରଭାବିତ ହେଉନାହାନ୍ତି ବରଂ ଆଖପାଖ ୭ଟି ଜିଲ୍ଲାର ଲୋକ ଏଥିପାଇଁ ସମସ୍ୟା ଭୋଗୁଛନ୍ତି । ଜିରା ନଦୀ ବରଗଡ଼ ସହରରୁ ବାହାରି ଦନ୍ତା ନଦୀରେ ମିଶୁଛି, ଆଉ ତାପରେ ଦନ୍ତା ନଦୀ ମିଶିଯାଉଛି ମହାନଦୀରେ । ଏଥିପାଇଁ ସମ୍ୱଲପୁର, ସୋନପୁର, ଝାରସୁଗୁଡ଼ା, ବୌଦ୍ଧ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା , ଜଗତସିଂପୁର ଓ ପୁରୀ ଜିଲ୍ଲାର ଲୋକେ ଏହି ମହାନଦୀକୁ ବ୍ୟବହାର କରୁଛନ୍ତି ।
ବରଗଡ ଆଇନ ମହାବିଦ୍ୟାଳୟର ଉପରମୁଣ୍ଡରୁ ସଂଗୃହିତ ପାଣିର ନମୂନାକୁ ପରୀକ୍ଷା ପରେ ଜଣାପଡିଛି ଯେ
୧୦୦ ମିଲିଲିଟର ପାଣିରେ ୭୯୦ ଜୀବିତ ଫିକାଲ କଲିଫର୍ମ ବ୍ୟାକ୍ଟେରିଆ ରହିଛି
ଅର୍ଥାତ ଏହି ପାଣି ପିଇବା ପାଇଁ ବି ଯୋଗ୍ୟ ନୁହଁ
ଏହା ଗାଧୋଇବା ଉପଯୋଗୀ ନୁହେଁ ବୋଲି ମଧ୍ୟ ପରୀକ୍ଷାରୁ ଜଣାପଡ଼ିଛି
ଏହା ତ ଥିଲା ଉପରମୁଣ୍ଡର କଥା । ତଳମୁଣ୍ଡରୁ ସଂଗୃହିତ ପାଣିର ନମୂନା କଥା ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ପରୀକ୍ଷାରୁ ଜଣାପଡିଛି ଯେ, ୧୦୦ ମିଲିଲିଟର ପାଣିରେ ୫୪ ହଜାର ଜୀବିତ ଫିକାଲ କଲିଫର୍ମ ବ୍ୟାକ୍ଟେରିଆ ରହିଛି । ଏହି ତଥ୍ୟ ବୁଝାଇଦେଉଛି ଯେ, କେତେ ପ୍ରଦୂଷିତ ହୋଇଚାଲିଛି ଜିରା ନଦୀ । ଏହି ଘଟଣାକୁ ନେଇ ବାରମ୍ବାର ତାଗିଦ କରିଆସିଛି ଏନଜିଟି । ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ କେବଳ ସର୍ଭେରେ ଅଟକି ରହିଛି କାମ ।
ସହରରେ ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନକରି ଆବର୍ଜନାକୁ ଜିରା ନଦୀରେ ନିଷ୍କାସନ କରାଯାଉଥିବା ଘଟଣାରେ ବରଗଡ଼ ପୌରପାଳିକା ବିରୋଧରେ ପୁଣି ଥରେ ବର୍ଷିଛନ୍ତି ଏନଜିଟି । ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି ।