କନକ ବ୍ୟୁରୋ: ଝାଡ଼ଖଣ୍ଡରେ ବାଘୁଣୀ 'ଜୀନ୍ନତ' । କେମିତି ବାଘୁଣୀକୁ ସୁରକ୍ଷିତ ଶିମିଳିପାଳ ଫେରାଇ ଆଣିବେ ବନବିଭାଗକୁ ଘାରିଛି ସେହି ଚିନ୍ତା । ସେପଟେ ଜିନ୍ନତ ପାଇଁ ଅସ୍ତବ୍ୟସ୍ତ ଜନ ଜୀବନ। ବାଘୁଣୀ ଏବେ ଚକୁଳିଆ ଚିଆବାନ୍ଧି ଜଙ୍ଗଲରେ ବୁଲାବୁଲି କରୁଥିବାରୁ ସେହି ଅଞ୍ଚଳକୁ ଜନଶୂନ୍ୟ କରିବା ପାଇଁ ଧାରା ୧୬୩ ଜାରି କରାଯାଇଛି । ଦୁଇ ଦିନ ହେଲା ଅଞ୍ଚଳରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗତ ୧୧ ତାରିଖରୁ ପୂର୍ବ ସିଂହଭୂମ ଜିଲ୍ଲା ଘାଟଶିଳା ଉପଜିଲ୍ଲାପାଳ ଚିଆବାନ୍ଧି ସମେତ କାଡଶିଙ୍ଗା,ବାଲ୍ରାଷୋଳ ଏବଂ ଧାଡ଼ିକା ଗାଁରେ ଏହି ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଜାରି ହୋଇଛି । ପ୍ରାୟ ୭ ଦିନ ହେଲା ଶିମିଳିପାଳ ଅଭୟାରଣ୍ୟରୁ ଯାଇ ଝାଡ଼ଖଣ୍ଡ ଜଙ୍ଗଲରେ ଘୁରିବୁଲୁଛି ଜୀନ୍ନତ । ଫେରିବାର ନାଁ ନେଉନି । ଆଉ ବାଘୁଣୀ ପାଇଁ ନକେଦମ୍ ଉଭୟ ଝାଡ଼ଖଣ୍ଡ ଓ ଓଡ଼ିଶା ବନବିଭାଗର ପୂରା ଟିମ୍ । ମଇଁଷି ଥୋପ ବି କାମ ଦେଲାନି, ଆଜି ଭୋର ସମୟରେ ଆସିଲା ମଇଁଷି ଶିକାର କରି ଖାଇଲା ଆଉ ଚାଲିଗଲା । ବର୍ତ୍ତମାନ ସୁଦ୍ଧା ବିଭାଗର ସବୁ ପ୍ରୟାସ ଫେଲ ମରିଚାଲିଥିବା ବେଳେ ପରବର୍ତ୍ତୀ ପଦକ୍ଷେପ କୋଣ ନିଆଯିବ ସେ ନେଇ ଚିନ୍ତାରେ ବିଭାଗ । ଦିନ ବଢିବା ସଙ୍ଗେ ସଙ୍ଗେ ବିଭିନ୍ନ ସମସ୍ୟା ସହିତ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ମଧ୍ୟ ବଢୁଥିବାର ଖବର ରହିଛି । ଯାହା ମଣିଷ ଓ ବାଘୁଣୀ ଉଭୟଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି ।