ସବୁଠୁ ତତଲା ଓଡିଶା ; ଆହୁରି ୨୪ ଘଣ୍ଟା ବର୍ଷିବ ନିଆଁ

ତାତିରେ ଅଲୋଡା ରେକର୍ଡ । ବିଶ୍ୱର ତତଲା ତାଲିକାରେ ଓଡ଼ିଶା । ଶ୍ରେଷ୍ଠ ୧୦ ଉତ୍ତପ୍ତ ସହରରେ ଝାରସୁଗୁଡ଼ା । ସମ୍ୱଲପୁର, ଟିଟିଲାଗଡ଼ରେ ଟାଣ ଖରା। ପାଣିପାଗ ବିଭାଗର ଆକଳନ, ଆହୁରି ୨୪ ଘଣ୍ଟା ଆକାଶରୁ ନିଆଁ ବର୍ଷିବ।

ଓଡିଶା ତତଲା କଡେଇ

ଓଡିଶା ତତଲା କଡେଇ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ତାତିରେ ଅଲୋଡ଼ା ରେକର୍ଡ କରିଛି ଓଡ଼ିଶା । କେବଳ ଭାରତ ନୁହେଁ ବିଶ୍ୱର ଶ୍ରେଷ୍ଠ ୧୦ ତତଲା ସହରରେ ସ୍ଥାନ ପାଇଛି ଝାରସୁଗୁଡ଼ା ସହର । ୨୦୧୭ ମାର୍ଚ୍ଚ ପରେ ଝାରସୁଗୁଡ଼ାରେ ତାପମାତ୍ରା ଦ୍ୱିତୀୟ ଥର ପାଇଁ ୪୩ ଡିଗ୍ରୀ ଛୁଇଁଛି । ଅସହ୍ୟ ତାତି ଓ ଗୁଳୁଗୁଳି ପଛରେ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି ବିଶେଷଜ୍ଞ । ଅନ୍ୟପଟେ ପାଣିପାଗ ବିଭାଗ ଆକଳନ କରିଛି ଆହୁରି ୨୪ ଘଣ୍ଟା ଆକାଶରୁ ନିଆଁ ବର୍ଷିବ । ତେବେ ମାର୍ଚ୍ଚ ୩୧ରୁ ପାଗ ବଦଳିବ ଓ ଏପ୍ରିଲ ୨ରେ ହାଲୁକା ବର୍ଷାର ସମ୍ଭାବନା ରହିଛି ।   

ଗ୍ରୀଷ୍ମ ପ୍ରବାହ ପୁଣି ଫେରିଛି । ଦିନ ଦିପହରର ଡହଡ଼ହ ଖରା । ଆକାଶରୁ ଯେମିତି ନିଆଁ ଖସୁଛି। ଖରା ଏମିତି ଯେ ରାଜରାସ୍ତାରେ ସୃଷ୍ଟି କରୁଛି ମରିଚିକାର ଭ୍ରମ । ଝାରସୁଗୁଡ଼ା ଶୁକ୍ରବାର ତାତିକୁ ନେଇ ଅଲୋଡ଼ା ରେକର୍ଡ କରିଛି । ୪୩ ଡିଗ୍ରୀ ତାପମାତ୍ରାକୁ ନେଇ ଭାରତ ନୁହେଁ ସିଧା ବିଶ୍ୱର ଶ୍ରେଷ୍ଠ ୧୦ ତତଲା ସହରର ଅଷ୍ଟମ ସ୍ଥାନ ପାଇଛି ଝାରସୁଗୁଡ଼ା । 

୨୦୧୭ ମାର୍ଚ୍ଚ ମାସରେ ୪୩.୩ ଡିଗ୍ରୀ ଝାରସୁଗୁଡ଼ାର ସର୍ବକାଳୀନ ରେକର୍ଡ । ଶୁକ୍ରବାର ୪୩ ଡିଗ୍ରୀ ତାପମାତ୍ରା ମାର୍ଚ୍ଚ ମାସର ଦ୍ୱିତୀୟ ସର୍ବାଧିକ ତାପମାତ୍ରା । ଅସହ୍ୟ ଗରମ ଓ ଗୁଳଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଲୋକ।  କାଳବୈଶାଖୀ ପରଠୁ ପଶ୍ଚିମଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ବିଶେଷ କରି ଝାରସୁଗୁଡ଼ା, ସମ୍ୱଲପୁର, ଟିଟିଲାଗଡ଼ରେ ଟାଣ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ପୂର୍ବରୁ ଟିଟିଲାଗଡ଼ ଦେଶର ତତଲା ସହର ପରିଚୟ ପାଇଥିଲା। ଏବେ କିନ୍ତୁ ଜଳବାୟୁ ପରିବର୍ତ୍ତନର ବଡ଼ୃ ପ୍ରଭାବ ପଡ଼ିଛି । ଖଣି ଖନନ, ଜଙ୍ଗଲ କ୍ଷୟ ଭଳି କାରଣ ଯୋଗୁଁ ତତଲା ସହରର ଆଖ୍ୟା ପାଇବାକୁ ଯାଉଛି ଝାରସୁଗୁଡ଼ା। ସେପଟେ ଆହୁରି ୨୪ ଘଣ୍ଟା ଆକାଶରୁ ନିଆଁ ବର୍ଷିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।   

ମାର୍ଚ୍ଚ ୩୦ରେ ବିଶେଷ କରି ୪ଟି ସ୍ଥାନ ଝାରସୁଗୁଡ଼ା, ସମ୍ୱଲପୁର, ବଲାଙ୍ଗୀର ଓ ଟିଟିଲାଗଡ଼ରେ ୪୩ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଦୁଇ ଦିନ ପରେ ପାଗ ବଦଳିବ । ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ଏବଂ ଏପ୍ରିଲ ୨ରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe