କନକ ବ୍ୟୁରୋ: ଏଥର ଆଇପିଏଲ ସିଜିନ୍ରେ ଖେଳାଳିଙ୍କ ସହ ମାଲାମାଲ ହେଉଛନ୍ତି ଫ୍ୟାନ୍ସ । ଜଣଙ୍କ ପରେ ଜଣେ ରାତାରାତି ପାଲଟି ଯାଉଛନ୍ତି କୋଟିପତି । ଭାଗ୍ୟ ବଦଳାଇ ଦେଉଛି ଲୋକପ୍ରିୟ ଗେମିଂ ଆପ୍ ଡ୍ରିମ୍ ୧୧ । ୮ ବର୍ଷର ଲଗାତାର ଚେଷ୍ଟା ବଳରେ ଶେଷରେ ପୂରଣ ହୋଇଛି ଯୁବକଙ୍କ ସ୍ୱପ୍ନ । ଗୋଟିଏ ପରେ ଗୋଟିଏ ମ୍ୟାଚ୍ରେ ଟଙ୍କା ଲଗାଇ ୫ ଲକ୍ଷ ଟଙ୍କା ହାରିଥିଲେ ଝାଡ଼ଖଣ୍ଡ ପାଲାମୁ ଜିଲ୍ଲାର ରବି ମେହେତା । ହେଲେ ଗତ ଏପ୍ରିଲ ୯ ତାରିଖରେ ଗୁଜରାଟ୍ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚରେ ସେ ଡ୍ରିମ୍ ୧୧ରେ ଟିମ୍ ତିଆରି କରି ୩ କୋଟି ଟଙ୍କା ଜିତିଛନ୍ତି ।
ଏବେ ପାଲାମୁ ଜିଲ୍ଲାରେ କେବଳ ରବି ମେହତାଙ୍କୁ ନେଇ ଚର୍ଚ୍ଚା ହେଉଛି । କ୍ରିକେଟ ଖେଳକୁ ଖୁବ ଭଲ ପାଆନ୍ତି ରବି ମେହେତା । କ୍ରିକେଟ ଖେଳ ଓ ଖେଳାଳିଙ୍କ ବିଷୟରେ ଅଳ୍ପ ବହୁତ ଜ୍ଞାନ ଥିବାରୁ ଡ୍ରିମ୍ ୧୧ ନାମକ ଗେମିଂ ଆପ୍ର ଟିମ୍ ତିଆରି କରୁଥିଲେ । ଏହି କ୍ରିକେଟ ନିଶା ଆଜିର ନୁହେଁ, ବରଂ ଗତ ୮ ବର୍ଷ ହେଲା ଡ୍ରିମ୍ ୧୧ରେ ଟିମ୍ ତିଆରି କରୁଥିଲେ । ଏଥିପାଇଁ ତାଙ୍କୁ କମ୍ କ୍ଷତି ସହିବାକୁ ପଡ଼ିନଥିଲା । ପୂରା ୫ ଲକ୍ଷ ଟଙ୍କା ହାରିଯାଇଥିଲେ ରବି । ହେଲେ ଏବେ ଆଉ ସେ ଦୁଖ ନାହିଁ, କାରଣ ରବି ପାଲଟି ଯାଇଛନ୍ତି ପାଲାମୁର କୋଟିପତି ଯୁବକ ।
ରବି ମେହେତା ଝାଡ଼ଖଣ୍ଡ ପାଲାମୁ ସଦର କୌଡ଼ିଆ ଗ୍ରାମ ବାସିନ୍ଦା । ବାପା ଦିନ ମଜୁରିଆ ଭାବରେ କାମ କରୁଥିବା ବେଳେ ରବି ଚିୟାଙ୍କି ରେଲ୍ୱେ ଷ୍ଟେସନ ନିକଟରେ ଏକ କିରାଣି ଦୋକାନ କରି ନିଜ ଖର୍ଚ୍ଚ ବାହାର କରନ୍ତି । ହେଲେ ଏପ୍ରିଲ ୯ ତାରିଖ ପରେ ତାଙ୍କ ଭାଗ୍ୟ ବଦଳି ଯାଇଛି ।
ତେବେ ଝାଡ଼ଖଣ୍ଡରେ ରବି ପ୍ରଥମ ନୁହଁନ୍ତି, ଏହାପୂର୍ବରୁ ଗିରିଡିହ, ହଜାରିବାଗ୍ ଏବଂ ଚତାରାର କିଛି ଯୁବକଙ୍କ ଭାଗ୍ୟ ରାତାରାତି ବଦଳି ଯାଇଥିଲା । ଝାଡ଼ଖଣ୍ତ ଚତାରାର ମହମ୍ମଦ ସାହିଦ ଏବଂ ମହମ୍ମଦ ରିଜୱାନ୍ 49 ଟଙ୍କା ଲଗାଇ କୋଟିପତି ବନଥିଲେ । ସାହିଦ୍ ତିନି କୋଟି ଟଙ୍କା ଜିତିଥିବା ବେଳେ ରିଜୱାନ୍ କୋଟିଏ ଟଙ୍କା ଜିତିଛନ୍ତି । ରିଜୱାନ୍ କେକେଆର୍ ଓ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ରେ ଡ୍ରିମ୍ 11 ରେ ଟିମ୍ ତିଆରି କରି ରାତାରାତି କୋଟିଏ ଟଙ୍କା ଜିତିଛନ୍ତି । ସାହିଦ୍ ପଞ୍ଜାବ ଓ ଗୁଜୁରାଟ ମ୍ୟାଚ୍ରେ ଟିମ୍ ବନାଇ ତିନି କୋଟି ଟଙ୍କା ଜିତିଛନ୍ତି ।
ସେହିପରି ହଜାରିବାଗ୍ ଜିଲ୍ଲାର ସୋନୁ କୁମାରଙ୍କ ଭାଗ୍ୟ ମଧ୍ୟ ବଦଳିଯାଇଛି । ଦିନେ ରୋଷେୟା ଭାବେ କାମ କରୁଥିବା ଏଥର ଆଇପିଏଲ୍ ସିଜିନ୍ରେ ଡ୍ରିମ୍ ୧୧ରୁ କୋଟିଏ ଟଙ୍କା ଜିତିଛନ୍ତି । ଗିରିଡିହର କୁନ୍ଦନ କୁମାର ମୋଦୀ ମଧ୍ୟ ୪୯ ଟଙ୍କାରୁ କୋଟିଏ ଟଙ୍କା ଜିତିଥିଲେ । ଖାଲି ଝାଡ଼ଖଣ୍ତରେ ନୁହେଁ ବରଂ ଓଡ଼ିଶାର ମଧ୍ୟ ଜଣେ ଯୁବକ କିଛି ଦିନ ତଳେ ରାତାରାତି କୋଟିପତି ପାଲଟିଯାଇଛନ୍ତି । କେନ୍ଦୁଝର ଯୋଡ଼ାର ଗୁରୁଚରଣ ଜାମୁଦା ମାଇ ଇଲେଭେନ୍ ସର୍କଲ ଆପ୍ରେ ଟିମ୍ ବନାଇ ୩ କୋଟି ଟଙ୍କା ଓ ଏକ ମହିନ୍ଦ୍ରା ଥାର୍ କାର୍ ଜିତିଛନ୍ତି । ଦିନେ ସେ ଖଣିରେ ଦିନ ମଜୁରିଆ ଭାବେ କାମ କରୁଥିଲେ, ଏବେ ୩ କୋଟିର ମାଲିକ ।