କନକ ବ୍ୟୁରୋ: ପ୍ରତିଶ୍ରୁତିରେ ଅଟକିଛି ଜୟପୁର ପୌରପାଳିକାର ପରିସୀମା । ସହର ଭିତରେ ରହି ମଧ୍ୟ ମିଳୁନି ପୌରପାଳିକାର ସୁବିଧା । ପଞ୍ଚାୟତ ପରେ ଏବେ ସରକାର ନୂତନ ବ୍ଲକ ଗଠନ ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ଏବେ ପୌରପାଳିକାର ପରିସୀମା ବଢ଼ାଇବା ପାଇଁ ଦାବି ଉଠିଲାଣି । ସେସବୁ ଭିତରେ ଜୟପୁର ସହର ଦକ୍ଷିଣ ଓଡ଼ିଶାର ଦ୍ୱିତୀୟ ବୃହତମ ବାଣିଜ୍ୟ କେନ୍ଦ୍ର । ୧୯୪୧ ମସିହାର ଏହା ୟୁନିୟନ ବୋର୍ଡ଼ ଦ୍ୱାରା ପରିଚାଳିତ ହେଉଥିଲା । ପରେ ୧୯୫୩ ମସିହାରେ ଏହା ପୌରପାଳିକାର ରୁପ ନେଲା । ସେହି ସମୟରେ ଜନ ଗଣନା ଆଧାରରେ ଜୟପୁର ପୌର ପାଳିକାର ପରିସୀମା ଗଠନ ହୋଇଥିଲା । ୨୫ଟି ୱାର୍ଡ଼ ଗଠନ କରାଯାଇଥିଲା । ୨୦୦୭ ମସିହାରେ ଏହା ୨୮ ଟି ୱାର୍ଡକୁ ବୃଦ୍ଧି ହେଲା । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଜୟପୁର ସହରର ପରିସୀମା ବଢ଼ିଛି । ୨୦୧୧ ଜନ ଗଣନା ଆଧାରରେ ପ୍ରାୟ ୮୦ ହଜାର ଲୋକ ଥିବା ବେଳେ ଆଜି ତାହା ୩ରୁ ୪ ଗୁଣ ବୃଦ୍ଧି ହୋଇଛି । କିନ୍ତୁ ପୌରପାଳିକାର ପରିସୀମା ବଢ଼ି ନାହିଁ । ସହର ଭିତରେ ଜିଲ୍ଳା ମେଡ଼ିକାଲ ଠାରୁ ଜୟପୁର ଏୟାରପୋର୍ଟ ଓ ରେଳ ଷ୍ଟେସନ ରହିଛ । ଅଗ୍ନିଶମ ବିଭାଗ ରହିଛି । କିନ୍ତୁ ସେସବୁ ପୌରପାଳିକା ପରିସୀମାରେ ନାହିଁ । ଯାହାଦ୍ୱାରା ପୌର ପାଳିକାର ସହଯୋଗ ଓ ସୁବିଧା ଅଧା ଲୋକଙ୍କୁ ମିଳୁନାହିଁ  । ରାସ୍ତାଘାଟ ଠାରୁ ଆରମ୍ଭ କରି ଉନ୍ନୟନ ମୂଳକ କାମ ପର୍ୟ୍ୟନ୍ତ ସବୁକିଛି ଅଟକି ରହିଛି । ଭୋଟ ଦେଉଛନ୍ତି ସହର ଭିତରେ କିନ୍ତୁ ପରିଚୟ ରହୁଛି ପଞ୍ଚାୟତରେ ।