କନକ ବ୍ୟୁରୋ : ଜୟପୁରରେ ଜିଏସଟି ରେଡ ଓ ତାପରେ ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ତେଜିଛି ବିବାଦ । ଜୟପୁରରେ ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ତାତିଲା କଂଗ୍ରେସ ଓ ବ୍ୟବସାୟୀ ସଂଘ । ଜିଏସଟି ବିଭାଗର ଅତ୍ୟାଚାର ପ୍ରତିବାଦରେ କାର୍ୟ୍ୟାଳୟରେ ଧସେଇ ପଶିଲେ, ଅଧିକାରୀଙ୍କୁ ପ୍ରଶ୍ନ କଲେ । ଗତକାଲି ଜିଏସଟି ଚଢ଼ାଉ ବେଳେ ସୁନା ବ୍ୟବସାୟୀ ହରିପ୍ରସାଦଙ୍କ ମୃତ୍ୟୁ ହୋଇଥିଲା । ଅସୁସ୍ଥ ଥିବା କହିବା ପରେ ବି ଚଢ଼ାଉ ଜାରି ରଖିଥିଲା ବିଭାଗ । ଯେଉଁଥିପାଇଁ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ଏନେଇ ଜିଏସଟି ଅଧିକାରୀଙ୍କ ନାଁରେ ଥାନାରେ ଏତଲା ହୋଇଛି । ନ୍ୟାୟ ଦାବିରେ ୧୨ ଘଣ୍ଟିଆ ଜୟପୁର ମାର୍କେଟ୍ ବନ୍ଦ ରଖାଯାଇଥିଲା । ୭ଦିନ ମଧ୍ୟରେ କାର୍ୟ୍ୟାନୁଷ୍ଠାନ ନହେଲେ ଜିଲ୍ଲା ବନ୍ଦ ଡାକରା ଦେଇଛି କଂଗ୍ରେସ । ବିଜେଡି ମଧ୍ୟ ଘଟଣାକୁ ନିନ୍ଦା କରିଛି ।
ହରିପ୍ରସାଦଙ୍କ ସୁନା ଦୋକାନ ଉପରେ ବାରମ୍ବାର ଚଢ଼ାଉ କରୁଥିଲା ଜିଏସଟି ବିଭାଗ । ଧନତେରାସ ଦିନ ମଧ୍ୟ ହୋଇଥିଲା ରେଡ୍ । ଘରେ ପଶି ଖୋଳତାଡ଼ କରିଥିଲେ ୧୧ ଜଣିଆ ଟିମ୍ । ଅନେକ ବଡ଼ ବଡ଼ ସୁନା ବ୍ୟବସାୟୀ ଥିବା ବେଳେ କାହିଁକି ହରିପ୍ରସାଦଙ୍କୁ ଟାର୍ଗେଟ କରାଯାଉଥିଲା ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଉପରୁ ନିର୍ଦ୍ଦେଶ ଆସିଥିବା କହିଛନ୍ତି ଜିଏସଟି ଅଧିକାରୀ ।
ଜିଏସଟି ବିଭାଗର ମାତ୍ରାଧିକ କାର୍ୟ୍ୟାନୁଷ୍ଠାନ ପାଇଁ ଉଜୁଡ଼ି ଯାଇଛି ଗୋଟିଏ ପରିବାର । ଏଠି ପ୍ରଶ୍ନ ଚଢ଼ାଉ ପାଇଁ କିଏ ଦେଇଥିଲା ନିର୍ଦ୍ଦେଶ ? କାହିଁକି ଗୋଟିଏ ଦୋକାନକୁ କରାଯାଉଥିଲା ଟାର୍ଗେଟ ?