କନକ ବ୍ୟୁରୋ : ଦିନ ଥିଲା ଛୋଟ କୁଡ଼ିଆ ଘରେ ବିତୁଥିଲା ବିହାରର ସବିତାଙ୍କ ଜୀବନ । ହେଲେ ବର୍ତ୍ତମାନ ତାଙ୍କ ସମୟ ବଦଳିଛି ଆଉ ଘର ବି । ଭାଗ୍ୟ କେତେବେଳେ କାହାର ବଦଳିବ କିଏ ବା କହିବ । ସେହିପରି ସବିତା ମଧ୍ୟ କେବେ ଭାବିନଥିଲେ ଯେ ସେ ଦିନେ ମହାମହିମଙ୍କ ସହ ବସି ଭୋଜନ କରିବାର ସୁଯୋଗ ପାଇବେ । ବିହାରର ପାଟନା ଜିଲ୍ଲା ଅନ୍ତର୍ଗତ ମସୌଢ଼ିର ତାରେଗନା ଡିହ ଅଞ୍ଚଳର ବାସିନ୍ଦା ସବିତା ଦେବୀଙ୍କ ପାଇଁ ଚଳିତ ବର୍ଷର ସ୍ୱାଧୀନତା ଦିବସ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି । ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ରାଷ୍ଟ୍ରପତି ଭବନରେ ରାତ୍ରୀ ଭୋଜନ ପାଇଁ ସ୍ୱତନ୍ତ୍ର ନିମନ୍ତ୍ରଣ ମିଳିଛି । ଏହି ଖବର ପ୍ରଚାରିତ ହେବା ପରେ ସବିତା ଦେବୀଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
ଦିନେ ମାଟି ଘରେ ଜୀବନ ବିତାଉଥିବା ସବିତା ଦେବୀଙ୍କ ପାଖରେ ନିଜର ଏକ ପକ୍କା ଘର ନଥିଲା । ସ୍ୱର୍ଗତ ଶିବଶଙ୍କର ପଣ୍ଡିତଙ୍କ ପତ୍ନୀ ସବିତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭାର୍ଥୀ ଭାବେ ଚୟନ ହୋଇଥିଲେ । ଏହି ଯୋଜନାର ସହାୟତାରେ ସେ ନିଜର ଏକ ସୁନ୍ଦର ପକ୍କା ଘର ନିର୍ମାଣ କରିବାରେ ସଫଳ ହୋଇଥିଲେ । ତାଙ୍କୁ ବିହାରରୁ ଏହି ଯୋଜନାର ଜଣେ ଆଦର୍ଶ ହିତାଧିକାରୀ ଭାବେ ଚୟନ କରାଯାଇଛି । ଏହି ଯୋଜନାର ସଫଳ ରୂପାୟନ ପାଇଁ ତାଙ୍କୁ ଏହି ସ୍ୱତନ୍ତ୍ର ସମ୍ମାନ ମିଳିଛି ।
ଅଗଷ୍ଟ ୧୫ ତାରିଖ ସନ୍ଧ୍ୟା ୬ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ରାତ୍ରୀ ଭୋଜନ କାର୍ଯ୍ୟକ୍ରମରେ ସବିତା ଦେବୀ ବିଶେଷ ଅତିଥି ଭାବେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ରହିବେ । ରାଷ୍ଟ୍ରପତି ଭବନରୁ ଆନୁଷ୍ଠାନିକ ନିମନ୍ତ୍ରଣ ପତ୍ର ପାଇବା ପରେ ତାଙ୍କ ପରିବାର ଏବଂ ପଡ଼ୋଶୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିମନ୍ତ୍ରଣ ପତ୍ର ସହିତ ତାଙ୍କୁ ଏକ ସୁନ୍ଦର ବ୍ୟାଗ୍ ଏବଂ ମଧୁବନୀ ପେଣ୍ଟିଂ ଉପହାର ମଧ୍ୟ ପଠାଯାଇଛି ।
ସବିତା ଦେବୀ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ନୁହଁନ୍ତି, ବରଂ ସେ ମସୌଢ଼ି ନଗର ପରିଷଦ ଅଧୀନରେ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା-ରାଷ୍ଟ୍ରୀୟ ସହରୀ ଆଜୀବିକା ମିଶନ (DAY-NULM)ରେ ଜଣେ ସାମୁଦାୟିକ ସମ୍ବଳ ବ୍ୟକ୍ତି (CRP) ଭାବରେ ମଧ୍ୟ କାର୍ଯ୍ୟ କରନ୍ତି । ଏହି ସମ୍ମାନଜନକ ନିମନ୍ତ୍ରଣ ପାଇ ସବିତା ଦେବୀ ନିଜକୁ ଗର୍ବିତ ମନେ କରୁଛନ୍ତି । ସେ କହିଛନ୍ତି, "ସ୍ୱାଧୀନତା ଦିବସରେ ରାଷ୍ଟ୍ରପତିଙ୍କୁ ଭେଟିବା ଏବଂ ତାଙ୍କ ସହ ରାତ୍ରୀ ଭୋଜନ କରିବାର ସୁଯୋଗ ମିଳିବା ମୋ ପାଇଁ ଏକ ଗୌରବର ବିଷୟ ।"