କନକ ବ୍ୟୁରୋ: ଜେଡିୟୁର ଶ୍ରାବଣରେ ମଟନ ରାଜନୀତି । କଥାଟି ଟିକେ ଅଡୁଆ ଲାଗୁଥିବ ଯେ ମଟନ ରାଜନୀତି ପୁଣି ଶ୍ରାବଣ ମାସରେ । ହଁ ଜେଡିୟୁର ସାଂସଦ ଲଲନ ସିଂଙ୍କ ମଟନ ଭୋଜି । ସେ ପୁଣି ଶ୍ରାବଣ ମାସରେ । ନିଜେ ଖାଇଲେ ଆଉ ଲୋକଙ୍କୁ ଖୁଆଇଲେ । ଶ୍ରାବଣ ମାସକୁ ଭୁଲିଗଲେ ଲୋକଙ୍କ ମୁହଁରେ ମଟନର ସ୍ବାଦ ଚଖେଇଲେ । ଲଲନଙ୍କ ଏହି ମଟନ ଭୋଜି କୁ ନେଇ ବିହାରରେ ଏବେ ରାଜନୀତି ସରଗରମ ହୋଇଛି । ବିଶେଷକରି ଶ୍ରାବଣ ମାସରେ ମାଂସ ଭୋଜନକୁ ନେଇ ବିରୋଧୀ ଦଳଗୁଡ଼ିକ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଏବଂ ଏହାକୁ ବିଜେପିର ଦୋମୁହାଁ ନୀତି ବୋଲି କହିଛନ୍ତି ।
ରିପୋର୍ଟ ଅନୁଯାୟୀ, ବିହାରର ସୁର୍ଯ୍ୟଗଡ ଗାଁରେ ଲଲନ ସିଂ ଏକ ଭୋଜିର ଆୟୋଜନ କରିଥିଲେ। ଏହି ଭୋଜିରେ ମଟନ-ଭାତର ବନ୍ଦବୋସ୍ତ କରାଯାଇଥିଲା । ଭୋଜିକୁ ଆସିଥିବା ଜେଡିୟୁର କର୍ମକର୍ତ୍ତା ଏବଂ ଗ୍ରାମବାସୀଙ୍କୁ ଳଲନ ସିଂହ କହିଥିଲେ ସମସ୍ତଙ୍କ ପାଇଁ ବହୁତ ଭଲ ଖାଦ୍ୟର ବ୍ୟବସ୍ଥା ହୋଇଛି । ସମସ୍ତେ ମଟନ ଖାଇକି ଯିବେ.. ଏହାପରେ ଲୋକ ମାନେ ଶ୍ରାବଣ ନ ମାନି ମଟନ ଖାଇବାର ମଜା ନେଇଥିଲେ। ଲଲନ ସିଂଙ୍କ ବ୍ୟତିତ ଏହି ଭୋଜିରେ ସାମିଲ ଥିଲେ ବିହାରର ଗ୍ରାମୀଣ ମନ୍ତ୍ରୀ ଅଶୋକ ଚୌଧୁରୀ ।
ବିରୋଧୀ ଭୋଜିକୁ ନେଇ ବଡ଼ ପ୍ରସଙ୍ଗ କରିଛନ୍ତି । ଶ୍ରାବଣ ମାସରେ ମନ୍ତ୍ରୀ କେମିତି ଦେଲେ ମଟନ ଭୋଜି ? ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିରୋଧି ଆରଜେଡି, କଂଗ୍ରେସ ଏବଂ ଜେଡିୟ ଘେରିବା ସହ ପ୍ରଶ୍ନ କରିଛନ୍ତି ଯେ ଗତ ବର୍ଷ ଶ୍ରାବଣ ମାସରେ ତେଜସ୍ବି ଯାଦବ ମାଛ ଖାଉଥିବାର ଭିଡିଓକୁ ଭାଇରାଲ କରି ବଡ ପ୍ରସଙ୍ଗ କରିଥିଲା ବିଜେପି । ସେହି ଭିଡିଓରେ ତେଜସ୍ୱୀ ନବରାତ୍ରି ସମୟରେ ମାଛ ଖାଉଥିବାର ଦେଖାଯାଇଥିଲା, ଯାହାକୁ ନେଇ ତାଙ୍କୁ 'ସନାତନ ବିରୋଧୀ' ବୋଲି କହିଥିଲା ବିଜେପି ଆଉ ଜେଡିୟୁ । ଏବେ ଲଲନ ସିଂହଙ୍କ ମଟନ ଭୋଜିକୁ ନେଇ ପାଲଟା ଅଭିଯୋଗ ଆଣିଛି ବିରୋଧି । ତେଜସ୍ୱୀ ଯାଦବ ଏହି ଘଟଣାକୁ ନେଇ ବିଜେପିର ଦୋମୁହାଁ ନୀତିକୁ ବୋଲି କରିଛନ୍ତି । ସେ କହିଛନ୍ତି, "ବର୍ତ୍ତମାନ ବିଜେପି କହିବ ଯେ ଲଲନ ସିଂ ତାଙ୍କ କର୍ମୀମାନଙ୍କୁ ମଟନ ଖୁଆଇ ପୁଣ୍ୟ କାମ କରୁଛନ୍ତି, କାରଣ ଲଲନ ସିଂ ବିଜେପିର ଜଣେ କେନ୍ଦ୍ରମନ୍ତ୍ରୀ । ଏ ଘଟଣାରେ ସେମାନେ ଚୁପ୍ ରହିବେ।" ଏହା ସହିତ ତେଜସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ ।
ଆରଜେଡିର ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି, "ଏହା ବିଜେପି ଏବଂ ଜେଡିୟୁର ଦୋମୁହାଁ ଚରିତ୍ରକୁ ଦର୍ଶାଉଛି। ଯେତେବେଳେ ତେଜସ୍ୱୀ ଯାଦବ ମାଛ ଖାଇଥିଲେ, ସେତେବେଳେ ସେମାନେ ଧର୍ମକୁ ଅପମାନିତ କରୁଥିବା କହିଥିଲେ । ଏବେ ଲଲନ ସିଂ ଶ୍ରାବଣ ମାସରେ ମଟନ-ଭାତ ଖୁଆଉଛନ୍ତି, କିନ୍ତୁ ସମସ୍ତେ ଚୁପ୍ ରହିଛନ୍ତି । ଏହା ସେମାନଙ୍କର ଶାସ୍ତ୍ରୀୟ ଦୋମୁହାଁ ନୀତି ନୁହେଁ ତ ଆଉ କ'ଣ?" ଏହି ବିବାଦ ପରେ ଜେଡିୟୁ ପକ୍ଷରୁ ସଫେଇ ଦିଆଯାଇଛି । ଦଳର ନେତାମାନେ କହିଛନ୍ତି ଯେ ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ ଯାହାକୁ ଅଯଥାରେ ଚର୍ଚ୍ଚା କରାଯାଉଛି । ତେବେ ଆଗକୁ ଅଛି ବିହାର ନିର୍ବାଚନ । ମାଛ, ମଟନକୁ ପ୍ରସଙ୍ଗ କରି ଆରୋପ ପ୍ରତ୍ୟାରୋପ କରିଚାଲିଛନ୍ତି ବିଭିନ୍ନ ରାଜୈତିକ ଦଳ । ଏବେ ଦେଖିବାର ବାକି ରହିଲା ଶ୍ରାବଣ ରେ ଲଲନଙ୍କ ମଟନ ରାଜନୀତି ଭୋଟରଙ୍କୁ କେତେ ଦୂର ବାନ୍ଧି ରଖୁଛି ।