କନକ ବ୍ୟୁରୋ: ୩ ବାହୁବଳୀ, ୫ ମନ୍ତ୍ରୀ ଆଉ ୫୦% ନୂଆ ଚେହେରା । ଏ ହେଉଛି ବିହାରରେ ଜେଡିୟୁର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାର ସିଟ୍ ସମୀକରଣ । ବିଜେପି ପରେ ଏବେ ବିହାରରେ ଜେଡିୟୁ ଯେଉଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ସେଥିରେ ପଛୁଆ ବର୍ଗଙ୍କ ସହିତ ଦଳିତ ସମୁଦାୟଙ୍କୁ ଫୋକସ୍ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ନୀତିଶ କୁମାରଙ୍କ ଜେଡିୟୁ ୫୭ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ଯେଉଁଥିରେ କି ଜାତିଗତ ସନ୍ତୁଳନକୁ ଖାସ୍ କରି ନଜର ରଖାଯାଇଛି । ନୀତିଶ ଘୋଷଣା କରିଥିବା ପ୍ରାର୍ଥୀଙ୍କ ଭିତରେ ୨୩ ପ୍ରାର୍ଥୀ ହେଉଛନ୍ତି ଓବିସି ବର୍ଗର । ସେହିପରି ୯ ଜଣ ଅତି ପଛୁଆ ବର୍ଗ ଏବଂ ୧୨ ଜଣ ପ୍ରାର୍ଥୀ ହେଉଛନ୍ତି ଦଳିତ ସମୁଦାୟର ।
ପୁଣି ମୈଦାନରେ ବାହୁବଳୀ
ଜେଡିୟୁର ଏହି ପ୍ରାର୍ଥୀ ତାଲିକାରେ ବାହୁବଳୀ ନେତାଙ୍କୁ ମଧ୍ୟ ଜାଗା ମିଳିଛି । ମୋକାମା ବିଧାନସଭା ଆସନରୁ ଅନନ୍ତ ସିଂହ, ଏକମାରେ ଧୁମଲ ସିଂହ ଏବଂ କୁଚାୟକୋଟ ବିଧାନସଭା କ୍ଷେତ୍ରରୁ ଅମରେନ୍ଦ୍ର ପାଣ୍ଡେଙ୍କୁ ଟିକେଟ୍ ମିଳିଛି । ତେବେ ଏମାନଙ୍କ ଭିତରେ ଅନନ୍ତ ସିଂହ ଗତ ଅକ୍ଟୋବର ୧୪ ତାରିଖରେ ହିଁ ନିଜର ନାମାଙ୍କନ ଦାଖଲ କରିଦେଇଥିଲେ । କାହିଁକି ନା ପାର୍ଟି ତାଙ୍କୁ ପୂର୍ବରୁ ହିଁ ପ୍ରାର୍ଥୀ କରିବା ନେଇ ସଙ୍କେତ ଦେଇସାରିଥିଲା ।
୫ ମନ୍ତ୍ରୀଙ୍କୁ ଟିକେଟ୍
ନୀତିଶ ସରକାରରେ ମନ୍ତ୍ରୀ ଥିବା ୫ ଜଣ ବିଧାୟକଙ୍କୁ ମଧ୍ୟ ପୁଣିଥରେ ରିପିଟ୍ କରାଯାଇଛି । ମନ୍ତ୍ରୀ ଥିବା ରତନେଶ ସଦା, ସୁନୀଲ କୁମାର ବିଜୟ ଚୌଧୁରୀ, ମହେଶ୍ୱର ହଜାରୀ ଏବଂ ଶ୍ରବଣ କୁମାରଙ୍କୁ ଟିକେଟ୍ ମିଳିଛି । ଏହାସହିତ ବିହାର ବିଧାନସଭାରେ ଉପ-ବାଚସ୍ପତି ଥିବା ନରେନ୍ଦ୍ର ନାରାୟଣ ଯାଦବଙ୍କୁ ମଧ୍ୟ ଜେଡିୟୁ ପୁଣିଥରେ ଟିକେଟ୍ ଦେଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏନଡିଏର ଅଂଶ ଥିବା ଚିରାଗ ପାସଓ୍ୱାନଙ୍କ ଏଲଜେପି (ଆର୍) ଯେଉଁ ୪ଟି ସିଟରେ ପ୍ରାର୍ଥୀ ଦେଇଛି, ସେହି ସ୍ଥାନରେ ଜେଡିୟୁ ମଧ୍ୟ ପ୍ରାର୍ଥୀ ଦେଇଛି । ଯାହାକି ଏହି ଲଢ଼େଇକୁ ଆହୁରି ଅଧିକ ରୋଚକ କରିଛି ।
ଜଣେ ବି ମୁସଲିମ୍ ପ୍ରାର୍ଥୀ ନାହାଁନ୍ତି
ନୀତିଶଙ୍କ ଏହି ପ୍ରାର୍ଥୀ ଘୋଷଣାରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି, ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଜଣେ ବି ମୁସଲିମ୍ ପ୍ରାର୍ଥୀ ନ ରହିବା । ୫୭ ଜଣ ପ୍ରାର୍ଥୀଙ୍କ ଭିତରେ ଜେଡିୟୁ ଜଣେ ବି ମୁସଲିମ ସମୁଦାୟର ଲୋକଙ୍କୁ ଟିକେଟ୍ ଦେଇନି । ଗତଥର ଜେଡିୟୁ ୧୧୫ ଆସନରୁ ୧୧ଟି ସିଟରେ ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଟିକେଟ୍ ଦେଇଥିଲା । ହେଲେ ଏଥର କିନ୍ତୁ ସେମିତି କିଛି ବି ଦେଖିବାକୁ ମିଳିନି । ହେଲେ ଚର୍ଚ୍ଚା ହେଉଛି ଦ୍ୱିତୀୟ ପର୍ଯ୍ୟାରେ ନୀତିଶ କୁମାର କିଛି ମୁସଲିମ୍ ଚେହେରାଙ୍କୁ ପ୍ରାର୍ଥୀ କରିପାରନ୍ତି ।