କନକ ବ୍ୟୁରୋ: ଭାରତରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ । ପ୍ରଥମଥର ପାଇଁ ଭାରତ ଆସିଛନ୍ତି ଭାନ୍ସ । ପତ୍ନୀ ଉଷା ଓ ୩ ସନ୍ତାନଙ୍କ ଭାନ୍ସ ଗସ୍ତ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି । ମିଳିଥିବା ସୂଚନା ଅନୁସାରେ ଭାରତ ସହ ଆମେରିକାର ଦ୍ବିପାକ୍ଷିକ ଆଲୋଚନା କରାଯିବ । ତେବେ ଭାନ୍ସଙ୍କ ଗସ୍ତ ସମୟରେ ଭାରତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବ । ପ୍ରଥମେ ହେଉଛି ଟାରିଫ, ଦ୍ବିତୀୟରେ ହେଉଛି ପ୍ରବାସୀ ଭାରତୀୟଙ୍କ ସ୍ଥାନାନ୍ତର । ଏଥିସହ ଅର୍ଥବ୍ୟବସ୍ଥା,ବ୍ୟାପାର ସହ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ଚର୍ଚ୍ଚା କରାଯିବା ସହ ଚୁକ୍ତି ସ୍ବାକ୍ଷର କରାଯିବ । ଟ୍ରମ୍ପ ପ୍ରଶାସନ ପକ୍ଷରୁ ଭାରତ ପାଇଁ ବଡ ବାର୍ତ୍ତା ରହିଥାଇପାରେ ।
ପ୍ରଧାନମନ୍ତ୍ରୀ ମୋଦୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବିଦେଶ ସଚିବ ବିକ୍ରମ ମିସ୍ରୀ, ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନଙ୍କ ସହ ପର୍ଯ୍ୟାୟକ୍ରମରେ ଦ୍ବିପାକ୍ଷିକ ଆଲୋଚନା କରିବେ ଭାନ୍ସ ଓ ତାଙ୍କ ଟିମ । ଦିଲ୍ଲୀଗସ୍ତ ଶେଷ କରି ପରିବାର ସହ ରାଜସ୍ଥାନର ଜୟପୁର, ଆଗ୍ରା ତାଜମହଲ ଯିବା କାର୍ଯ୍ୟକ୍ରମ ରହିଛି । ତେବେ ଉପରାଷ୍ଟ୍ରପତିଙ୍କ ଜେଡି ଭାନ୍ସଙ୍କ ଭାରତର କନେକ୍ସନ ମଧ୍ୟ ରହିଛି । ଭାନ୍ସଙ୍କ ପତ୍ନୀ ଉଷା ହେଉଛନ୍ତି ଭାରତୀୟ ବଂଶୋଦ୍ଭବ । ତେଲ୍ଗୁ ପରିବାର ଲକ୍ଷ୍ମୀ ଓ ରାଧାକ୍ରିଷ୍ଣଙ୍କ ଦୀର୍ଘବର୍ଷ ପୂର୍ବରୁ ଆମେରିକା ଚାଲିଯାଇଥିଲେ । ଆଇଆଇଟି ମାଡ୍ରାସରେ ପାଠ ଶେଷ କରି ଉଷାଙ୍କ ବାପା ଓ ମା ଆମେରିକାର ସ୍ଥାୟୀ ନିବାସୀ ହୋଇଥିଲେ । ତେବେ ୨୦୧୪ରେ ଜେଡି ଭାନ୍ସଙ୍କ ସହ ହିନ୍ଦୁ ରୀତିନୀତି ସହ ବିବାହ କରିଥିଲେ ଉଷା । ପେଶାରେ ଉଷା ଜଣେ ଆଇନଜୀବୀ ।