କନକ ବ୍ୟୁରୋ: ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ବେଧଡକ ଚାଲିଛି ସରକାରୀ ଜାଗାରୁ ଚୋରା ପଥର ଚାଲାଣ । ଦିନ ରାତି ଏକ କରି ଖଣିରୁ ପଥର ଲୁଟି ନେଉଛନ୍ତି ପଥର ମାଫିଆ । ଆଉ ନିରବ ଦ୍ରଷ୍ଟା ପ୍ରଶାସନ, ନିରୁପାୟ ସାଧାରଣ ଜନତା । ତେବେ ଆଶ୍ଚର୍ଯ୍ୟର କଥା ପଥର କଟାଯାଉଥିବା ସ୍ଥାନରୁ ମାତ୍ର କେଇଶହ ମିଟର ଦୂରରେ ରହିଛି, ମନ୍ଦାରବସ୍ତ ଫାଣ୍ଡି ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।

Advertisment
  • କଣାସରେ ସକ୍ରିୟ ଚୋରା ପଥର ମାଫିଆ
  • ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି 

କଣାସ ଗଡସାନପୁଟ ଅଞ୍ଚଳରେ ଦିନ ଦ୍ବିପ୍ରହରରେ ଜେସିବି ମାଧ୍ୟମରେ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ୍  ଚାଲିଛି । ବେଧଡକ ପଥର, ବାଲି ଓ ମୋରମ ଲୁଟ କରୁଛନ୍ତି ପଥର ମାଫିଆ । ଏଠାରେ ସରକାରୀ ନିୟମର ଧଜିଆ ଉଡୁଛି । କାହାକୁ ଡର ନାହିଁ କି କାହାକୁ ଭୟ ନାହିଁ । ସରକାରୀ ଜମିରୁ କୋଟି କୋଟି ଟଙ୍କାର ପଥର ବିକ୍ରି କରି ଚାଲିଛନ୍ତି ଚୋରା ପଥର ମାଫିଆ । କଣାସ ତହସିଲଦାର ବାରମ୍ବାର କାର୍ଯ୍ୟାନୁଷ୍ଠାନ ନେଇ ଜୋରିମାନା ଆଦାୟ କରୁଛନ୍ତି । କଣାସ ଥାନାରେ ଅଭିଯୋଗ କରିଲା ପରେ ବି ମାନୁନାହାନ୍ତି ପଥର ମାଫିଆ ।

  • କାହା ବଳରେ ବଳିୟାନ ମାଫିଆ?
  • କାମ ଦେଉନି ମାମଲା ଓ  ୧୪୪ ଧାରା 

ବଡ କଥା ହେଲା, କଟକଣା ଲାଗୁ ସତ୍ତ୍ବେ ଅଧିକ ସକ୍ରିୟ ହୋଇଛନ୍ତି ପଥର ଓ ବାଲି ମାଫିଆ । ସ୍ଥାନୀୟ ତହସିଲଦାର ୧୨ ଜଣଙ୍କ ନାଁରେ ୧୨ଟି ମାମଲା ରୁଜୁ କରିଛନ୍ତି । ଗଡସାନପୁଟ ପଥରଖଣି ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରହିଛି । ଏହାସତ୍ବେ ଅମାନିଆ ପଥର ମାଫିଆ ବେଧଡକ ପଥର ଚୋରି କରୁଛନ୍ତି। ବିଳମ୍ବିତ ରାତିରେ ହେଉ ଅବା ଦିନରେ ଜେସିବି ଓ କଟର ମେସିନ ଲଗେଇ ପଥର ଚୋରି କରୁଛନ୍ତି । କଣାସ ଅଞ୍ଚଳ ରେ ଅଧିକାଂଶ ଜମି ଜଗନ୍ନାଥ ଙ୍କ ନାମରେ ରହିଛି । ଦିନ ଦ୍ଵିପ୍ରହର ରେ ଏହି ସବୁ ଜମିରୁ ଗଛ ଓ ପଥର କାଟି ରାଜସ୍ବ ଲୁଟି ମାଫିଆ ମାନେ ରାଜ କରୁଛନ୍ତି । ପଥରଖଣି ଅଂଚଳର ୩୦୦ ମିଟର ଦୂରରେ ଫାଣ୍ଡି ଥିଲେ ବି ପୁଲିସ ନୀରବଦ୍ରଷ୍ଟା ସାଜିଛି ।