କନକ ବ୍ୟୁରୋ: ରାଜାରାଜୁଡ଼ା ଅମଳର ସହର ଜୟପୁର । ହଜିବାକୁ ବସିଲାଣି ପୂର୍ବର ଚିତ୍ର । ପରିଚୟ ଏବେ ଅଳିଆ ଆବର୍ଜନା ଓ କାଦୁଅ ପଚପଚ ରାସ୍ତା । ଦୁରବସ୍ଥାରୁ ବାଦ୍‌ ପଡ଼ୁନି ବିଦ୍ୟାଳୟ । ଖର୍ଚ୍ଚ ହେଉଛି ଲକ୍ଷାଧିକ ଟଙ୍କା ହେଲେ ତାହା କେବଳ କାଗଜ କଲମରେ ସୀମିତ । ସ୍ୱଚ୍ଛତାର ଦ୍ୱାହି ଦେଇ ପୌରପାଳିକା କେବଳ ଜଳକା। 

Advertisment

ଦକ୍ଷିଣ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ସହର ଜୟପୁର । କୋରାପୁଟ ଜିଲ୍ଲାର ପ୍ରାଣକେନ୍ଦ୍ର ଏହି ସହର ୨ଟି ରାଜ୍ୟ ଆନ୍ଧ୍ର ଓ ଛତିଶଗଡ଼ ସହିତ ଯୋଡ଼ି ହୋଇ ରହିଛି । ରାଜା ବିକ୍ରମଦେବଙ୍କ ସମୟରେ ୧୯୫୩ ମସିହାରେ ଗଢ଼ି ଉଠିଥିଲା ଜୟପୁର ପୌରପାଳିକା । ହେଲେ ଆଜି ସବୁ କିଛି କିଂବଦନ୍ତିରେ। ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟ ଏକ ପ୍ରକାର ଦିଗହରା । ନା ଆଗର ପରିବେଶ ଅଛି ନା ପରିଷ୍କାର ପରିଚ୍ଛନ୍ନତା । ସବୁଆଡ଼େ ବିଛାଡ଼ି ହୋଇପଡ଼ିଛି ଅଳିଆ ଆବର୍ଜନା । କାଦୁଅ ପଚପଚ ରାସ୍ତା। ସେପଟେ ପରିମଳରେ ସ୍ୱଚ୍ଛତା ପାଇଁ ମାସକୁ ଖର୍ଚ୍ଚ ହେଉଛି ୭୫ ଲକ୍ଷ ଟଙ୍କା ।

ସହରର ପରିସୀମା ବଢ଼ାଇବାକୁ ଚିଠି ବି ଲେଖା ସରିଛି । କିନ୍ତୁ ବିଭିନ୍ନ ୱାର୍ଡର ଦୃଶ୍ୟ, ନାଳ ନର୍ଦ୍ଦମା ଦେଖିଲେ ସହରର ବିକଳ ଚିତ୍ର ବାରି ହୋଇପଡ଼ୁଛି । ପୌରପାଳିକାର କାର୍ଯ୍ୟାଳୟ ପରିସରରେ ଖତ ଖାଉଛି ଅଳିଆବୁହା ଗାଡ଼ି । ପୌରପାଳିକାର ଅଧ୍ୟକ୍ଷ କଂଗ୍ରେସ ଦଳର, ଉପାଧ୍ୟକ୍ଷ ବିଜେଡିର। ସେହିପରି ୧୫ଜଣ କାଉନସିଲର ବିଜେଡିର ଓ କଂଗ୍ରେସ ଦଳର ୧୩ ଜଣ । ଏତେ ନେତା ଥାଇ ବି ଅଳିଆ ଭର୍ତ୍ତି ସହରର ସ୍ଥିତି ଚିନ୍ତାଜନକ । ଆଉ ଜଣଙ୍କୁ ଦୋଷ ଦେଇ ଦାୟିତ୍ୱ ସାରି ଦେଉଛନ୍ତି । ଆଉ ବର୍ଷା ଦିନେ ସବୁ ବ୍ୟବସ୍ଥାର ସତ କହୁଛି ସହରର ଦୃଶ୍ୟ ପାଣି କାଦୁଅ ଭର୍ତ୍ତି ଦୃଶ୍ୟ ।