କନକ ବ୍ୟୁରୋ : ରାଜ୍ୟ କ୍ଷମତା ରାଜନୀତିରେ ଓଲଟ ପାଲଟ କରି ବିଜେପି ସରକାରକୁ ଆସିବାର ୬ମାସ ପରେ, ପ୍ରଥମଥର ପାଇଁ କେହି ଦଳ ବିରୋଧରେ ମୁହଁ ଖୋଲିଛନ୍ତି । ଅବସର ଥିଲା ଦିବଙ୍ଗତ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ଶୋକସଭା। ଆଉ ନିଜ ଅଭିଭାଷଣ ରଖିବାବେଳେ ଜୋରଦାର କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ବିରୋଧୀଦଳ ନେତା। ସବୁଠୁ ବଡ଼କଥା ହେଉଛି ଶୋକସଭାରେ ଉପସ୍ଥିତ ଥିଲେ ରାଜ୍ୟ ସଭାପତିଙ୍କଠୁ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ । ତଥାପି କାହାରିକୁ ଖାତିର ନକରି ବିଷୋଦଗାର କରିଥିଲେ ଜୟନାରାୟଣ ମିଶ୍ର । ସମୀର ଦେଙ୍କ ସହ ନିଜକୁ ତୁଳନା କରି ଅତି କଡ଼ା ଭାଷାରେ ବିଷ ଉଗାରିଥିଲେ ସମ୍ବଲପୁର ବିଧାୟକ। ଦଳର ଜଣେ ବରିଷ୍ଠ ନେତା ଖୋଲାଖୋଲି ଟାର୍ଗେଟ କରିବା ପରେ, ତାଳି ପକାଇବାକୁ ଉଦ୍ୟମ କରିଛନ୍ତି ରାଜ୍ୟ ସଭାପତି ।
ନିଜକୁ ତଡ଼ାଖିଆ ନେତା ବୋଲି କହିବା ସହ, ଦଳ ତାଙ୍କ ବିରୋଧରେ ଲୋକ ଲଗାଇଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଜୟନାରାୟଣ। ଯାହା ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି
ଦଳ ଭିତରେ ଅଣଦେଖା ହୋଇପଡ଼ିଛନ୍ତି କି ଜୟନାରାୟଣ?
ସମୀର ଦେଙ୍କ ଭଳି ତାଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଉ ନାହିଁ କି?
ଜୟନାରାୟଣଙ୍କ ବିରୋଧରେ ଲୋକ ଲଗାଇଛି କି ଦଳ?
କିଏ ଓ କେଉଁ ଉଦ୍ଦେଶ୍ୟରେ ଜୟଙ୍କୁ ବିତାଡ଼ିତ କରିବାକୁ ଚାହୁଁଛି?
ବିଜେଡିକୁ କ୍ଷମତାଚ୍ୟୁତ କରି ବିଜେପି ସରକାରକୁ ଆସିବା ପରଠାରୁ, ଦଳର ନେତାମାନେ ବାରମ୍ବାର ବିରୋଧୀ ଦଳରେ ଗୋଷ୍ଠୀକନ୍ଦଳ କଥା କହିଆସିଛନ୍ତି । କିନ୍ତୁ ଭରାସଭାରେ ଜୟନାରାୟଣଙ୍କ କ୍ଷୋଭ, ଶାସକ ଦଳକୁ ଘେରିବା ପାଇଁ ବିଜେଡି ହାତରେ ମଉକା ଧରାଇ ଦେଇଛି । ଯାହାକୁ ହାତଛଡ଼ା କରି ନାହାନ୍ତି ବିରୋଧୀ ଦଳ ଉପନେତା। ବିଜେପିରେ ଅସନ୍ତୋଷର ନିଆଁ ଲାଗି ସାରିଥିବା ପ୍ରସନ୍ନ ଆଚାର୍ୟ୍ୟ କହିବା ପରେ, କାଉଣ୍ଟର କରିଛନ୍ତି ବିଜେପି ବିଧାୟକ ।
ନିର୍ବାଚନ କଥା ମନେ ପକାନ୍ତୁ, ଗୋଟିଏ ସମୟରେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଚାଲିଥିଲାବେଳେ ବିଜେଡି ବିରୋଧରେ ବେଶ ଆକ୍ରମଣାତ୍ମକ ଥିଲେ ଜୟନାରାୟଣ। ଦଳ ସୁରକ୍ଷାରେ ମୁହଁ ଖୋଲିଲେ ପ୍ରତିପକ୍ଷଙ୍କ ମୁଣ୍ଡ ବିଗିଡ଼ି ଯାଉଥିଲା। ବୁଜେପିର ତୁଣ୍ଡ ପାଲଟିଥିବା ଜୟନାରାୟଣ ବିଜେପି ସରକାରରେ ମନ୍ତ୍ରୀପଦ ନପାଇବା ଦିନରୁ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା।