କନକ ବ୍ୟୁରୋ: ପୁଣି ମୁଣ୍ଡବ୍ୟଥା ବଢ଼ାଇଲେ ଜୟନାରାୟଣ। ପୁଲିସକୁ ଧମକାଇଥିବା ନେଇ ଏଫଆଇଆର । ରାମନବମୀ ପୂର୍ବରୁ ପୁଲିସକୁ ଧମକ ଦେଇ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଥାନା ପୋଡିଦେବା ସହ ମାରିବାକୁ ଫୋନରେ ଧମକ ଦେଇଛନ୍ତି । ଆଉ ଏହାକୁ ନେଇ ରାଜନୀତି ସରଗରମ ହୋଇଛି ।
ଜୟନାରାୟଣଙ୍କ ନାଁରେ ଏତଲା ଦେଇଛନ୍ତି ସମ୍ବଲପୁର ଟାଉନଥାନା ଅଧିକାରୀ ସୁବ୍ରତ କୁମାର ମେହେର । ଏଥିରେ ଜୟନାରାୟଣ, ସୁବ୍ରତଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିଥିବା ସେ ଅଭିଯୋଗ କରିଛନ୍ତି । ଏପରିକି ଥାନା ପୋଡ଼ିଦେବା ଓ ସମସ୍ତଙ୍କୁ ମାରିବାକୁ ଧମକ ଦେଇଥିବା ନେଇ ଟାଉନ ଥାନା ଆଇଆଇସି ସୁବ୍ରତ କୁମାର ମେହେର ପ୍ଲେନ୍ ପେପର୍ ଏଫ୍ଆଇଆର୍ ଦେଇଛନ୍ତି । ହନୁମାନ ଜୟନ୍ତୀ ପୂର୍ବରୁ ବୁଧବାର ସନ୍ଧ୍ୟାରେ ଗୋଲ ବଜାର ଛକରେ ଝଣ୍ଡା ଶୋଭାଯାତ୍ରାରେ କିଛି ଯୁବକ ଖଣ୍ଡା ପ୍ରଦର୍ଶନ କରିଥିଲେ । ଯାହାର ଭିଡିଓ ରେକର୍ଡିଂ କରିବା ସହ ସ୍ଥାନୀୟ ଲୋକେ ଏନେଇ ପ୍ରଶ୍ନ ଉଠାଇଥିଲେ। ତେବେ ଘଟଣାର ଭିଡିଓ ଭାଇରାଲ ହେବା ପରେ ଭିଡିଓ ପ୍ରମାଣ ଆଧାରରେ ପୋଲିସ ଖଣ୍ଡା ଜବତ କରିବା ସହ ୮ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା। ଏହି ଘଟଣାକୁ ନେଇ ପୋଲିସକୁ ଜୟନାରାୟଣ ମିଶ୍ର ଫୋନରେ ଧମକ ଦେଇଥିବା ଅଭିଯୋଗ ହୋଇଛି।