କନକ ବ୍ୟୁରୋ: ବିଧାନସଭାରେ ପୁଣି ଉଠିଲା ଜୟନାରାୟଣ ଝଡ଼। ଜୟନାରାୟଣଙ୍କ କୋଶଳ ମନ୍ତବ୍ୟକୁ ନେଇ ବିଜେଡିର ଜୋରଦାର ପ୍ରତିବାଦ। କଳାପଟି ପିନ୍ଧି ବିଧାନସଭା ଭିତରେ ପଶିଲେ ବିଜେଡି ବିଧାୟକ। ସେପଟେ ବିରୋଧୀଙ୍କ ପ୍ରତିବାଦ ସତ୍ତ୍ବେ ନିଜ ବୟାନରେ ଅଟଳ ଜୟନାରାୟଣ ମିଶ୍ର।
ଲଗାତର ଦ୍ବିତୀୟ ଦିନରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ କୋଶଳ ବୟାନକୁ ନେଇ ଜୋରଦାର ହଙ୍ଗାମା ହୋଇଛି। ଆଜି ଗୃହକାର୍ଯ୍ୟ ଆରମ୍ଭରୁ ଏହାକୁ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି । ପ୍ରଶ୍ନକାଳ ଚାଲିଥିବାବେଳେ ବିଜେଡି ସଦସ୍ୟ ଜୋରଦାର ପ୍ରତିବାଦ କରିଥିଲେ । ଜୟନାରାୟଣଙ୍କ ମନ୍ତବ୍ୟକୁ ବିରୋଧ କରି କଳାପଟି ପିନ୍ଧି ବିଧାନସଭା ଭିତରକୁ ଆସିଥିଲେ ବିଜେଡି ବିଧାୟକ । ଗୃହର ମଧ୍ୟଭାଗରେ ପ୍ରତିବାଦ ଓ ନାରାବାଜି କରିଥିଲେ । ଗୃହର ରିପୋର୍ଟର ଟେବୁଲ ଉପରେ ରୋମାଂଚ ରଞ୍ଜନ ବିଶ୍ବାଳ, ତାରା ପ୍ରସାଦ ବାହିନୀପତି ଓ ଯୋଗେଶ ସିଂ ପ୍ରତିବାଦ କରିଥିଲେ । ବିଧାନସଭା ପରିସରରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ତଳେ ଗୀତ ଗାଇ ବିଜେଡି ବିଧାୟକ ବି ପ୍ରତିବାଦ କରିଥିଲେ ।
ଜୋରଦାର ପ୍ରତିବାଦ ପରେ ବି ଜୟନାରାୟଣ ମିଶ୍ର ନିଜ ବକ୍ତବ୍ୟରେ ଅଟଳ ରହିଛନ୍ତି । କହିଛନ୍ତି ତାଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ରାଜା ସ୍ବାଇଁଙ୍କୁ ବି ଟାର୍ଗେଟ କରିଛନ୍ତି ଜୟନାରାୟଣ। ସେ ଓଡ଼ିଶା ବିଭାଜନର ମୂଳକର୍ତ୍ତା ବୋଲି କହିଛନ୍ତି । ଯେଉଁମାନେ ରାଜ୍ୟ ବାହାର ଲୋକଙ୍କ ଦ୍ୱାରା ପରିଚାଳିତ, ଏସବୁ କଥା କହିବାର ତାଙ୍କର କ’ଣ ଅଧିକାର ଅଛି? ଜବାବରେ ରାଜା ସ୍ୱାଇଁ କହିଛନ୍ତି, ମୁଁ ସମ୍ବଲପୁରର କେବେ ବିରୋଧୀ ନଥିଲି । ସମ୍ବଲପୁର ସଂଗୀତ ମତେ ଭଲ ଲାଗେ । ପାଗଳ ହେଇଗଲେଣି ଜୟନାରାୟଣ ।
ସେପଟେ ମନ୍ତବ୍ୟର ଦୁଇଦିନ ପରେ ଜୟନାରାୟଣଙ୍କ ବିବୃତି ନେଇ ସରକାର ବୟାନ ରଖିଛନ୍ତି । ଜୟନାରାୟଣ ମିଶ୍ର ବିଧାନସଭା ବାହାରେ ଯେଉଁ ବିବୃତି ଦେଇଛନ୍ତି, ତା’ସହ ସରକାର ସହମତ ନୁହନ୍ତି ବୋଲି କହିଛନ୍ତି ଆଇନମନ୍ତ୍ରୀ । ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାକୁ କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ମତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)