କନକ ବ୍ୟୁରୋ: ମୋଦୀଙ୍କ ପାଠଶାଳାକୁ ୨୪ ଘଣ୍ଟା ନପୂରୁଣୁ ବିଜେପିରେ ବଡ଼ ବିସ୍ଫୋରଣ କରିଛନ୍ତି ଜୟନାରାୟଣ ମିଶ୍ର । ଦଳ ବିରୋଧରେ ବିଷ ଓଗାଳିଛନ୍ତି ବିଜେପିର ହେଭିୱେଟ୍ ବିଧାୟକ ଜୟନାରାୟଣ । ଦିବଙ୍ଗତ ନେତା ସମୀର ଦେ’ଙ୍କ ସ୍ମୃତି ସଭାରେ ନିଜ ଦଳ ବିଜେପିକୁ ସମାଲୋଚନା କରିବାକୁ ପଛାଇନାହାନ୍ତି ଜୟନାରାୟଣ ମିଶ୍ର । ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ଜୟନାରାୟଣ ଏବେ ଦଳୀୟ ନେତୃବୃନ୍ଦଙ୍କୁ କରିଛନ୍ତି ଟାର୍ଗେଟ୍ । ଦୀର୍ଘ ଦିନ ଥରି ମନ ଭିତରେ ଥିବା ସବୁ ଅସନ୍ତୋଷକୁ ସଭାରେ ଝାଡିଛନ୍ତି ବିଜେପିର ହେଭିୱେଟ୍ ।

Advertisment

ଜୟନାରାୟଣ କହିଛନ୍ତି, ପୂର୍ବରୁ ସମୀର ଦେଙ୍କ ସହ ଯାହା ଘଟିଥିଲା ତାହା ଏବେ ମୋ ସହ ଘଟୁଛି । ସମୀରଙ୍କୁ ଦଳରେ ଗୁରୁତ୍ୱ ଦିଆଯାଉନଥିଲା । ତାଙ୍କ ବିରୋଧରେ ଲୋକ ଲଗାଯାଉଥିଲା । ଏବେ ମୋ ବିରୋଧରେ ମଧ୍ୟ ଲୋକ ଲଗାଯାଉଛି । ମୋ ବିରୋଧରେ ଜଣେ ଲୋକ ରହିଛି ଆଉ ଏହା ପାର୍ଟିର ଯୋଜନା ବଦ୍ଧ କାର୍ଯ୍ୟକ୍ରମ । ମୁଁ ଗୋଟିଏ  ତଡାଖିଆ ଲୋକ । ଏବିଭିପିରୁ ତଡା ଖାଇଛି, ବିଜେପିରୁ ମଧ୍ୟ ତଡା ଖାଇଛି । ଏବେ ବିଜେପିରୁ ସାଇଡଲାଇନ ହୋଇ ରହିଛି ।

ଏହାସହ ପୂର୍ବରୁ ସମୀର ଦେ'ଙ୍କ ସହ ଯାହା ଘଟିଥିଲା ତାହା ଏବେ ମୋ ସହ ଘଟୁଛି । ବିଜେପି ରାଜ୍ୟ ସଭାପତି ରାଜସ୍ୱମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏମିତି କହିଛନ୍ତି ଜୟନାରାୟଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ବିଜେପି ନେତୃବୃନ୍ଦଙ୍କ ମଧ୍ୟରେ ସମନ୍ୱୟ ରଖି ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ୨୪ ଘଣ୍ଟା ନ ବିତୁଣୁ ଜୟନାରାୟଣ ନିଜର ଅସନ୍ତୋଷ ଝାଡିଛନ୍ତି ।

ପ୍ରଶ୍ନ ଉଠୁଛି, ଜୟନାରାୟଣଙ୍କ ଗୁରୁତ୍ୱ ବିଜେପିରେ କମାଇଛି କିଏ? ଜୟନାରାୟଣଙ୍କୁ ଦଳରେ କୋଣଠେସା କରିଛି କିଏ ? ଜୟନାରାୟଣଙ୍କ ପଛରେ କିଏ ଓ କାହିଁକି ଲୋକ ଲଗାଇଛି ? ଦଳରେ ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଥିବା ନେତା କିଏ ? ଜୟନାରାୟଣଙ୍କ ବୟାନ ବିଜେପିର କେଉଁ ନେତାଙ୍କ ଆଡକୁ ଇଙ୍ଗିତ କରୁଛି । ଏବଂ ଏବେ ଜୟନାରାୟଣ ଦେଇଥିବା ବୟାନ ବିଜେପିକୁ ହରଡ଼ଘଣାରେ ପକାଇବନି ତ ?