କନକ ବ୍ୟୁରୋ : ରାଜ୍ୟସଭାରେ ଅପରେସନ୍ ସିନ୍ଦୁର ଉପରେ ଆଲୋଚନା ସମୟରେ ସପା ସାଂସଦ ଜୟା ବଚ୍ଚନ ଏକ ବଡ଼ ବୟାନ ଦେଇଛନ୍ତି । ସେ ଅପରେସନର ନାମ ସିନ୍ଦୁର ରଖିବାକୁ ନେଇ ଆପତ୍ତି ଜଣାଇଛନ୍ତି । ଜୟା କହିଛନ୍ତି ଯେ ଯେତେବେଳେ ସିନ୍ଦୁର ହିଁ ଉଜୁଡ଼ିଗଲା ତେବେ ଅପରେସନର ନାମ ସିନ୍ଦୁର କାହିଁକି ? ପହଲଗାମ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୁର ଉପରେ କହିବା ବେଳେ ଜୟା ପ୍ରଥମେ ସେହି ପୀଡ଼ିତ ପରିବାରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେ କହିଥିଲେ ଯେ କିପରି ଆତଙ୍କବାଦୀମାନେ ଆସି ଏତେ ଲୋକଙ୍କୁ ମାରିଦେଲେ । ସେ ଘଟଣାରେ ଦୁଃଖପ୍ରକାଶ କରିଥିଲେ । ଜୟା ଆହୁରି କହିଥିଲେ ଯେ ଆପଣ ଏପରି ଲେଖକମାନଙ୍କୁ ରଖିଛନ୍ତି ଯେଉଁମାନେ ବଡ଼ ବଡ଼ ନାମ ନିଅନ୍ତି । ଏହି ସିନ୍ଦୁର ନାମ କିଏ ଦେଲା ? ଯେତେବେଳେ ସିନ୍ଦୁର ହିଁ ଉଜୁଡ଼ିଗଲା, ତେବେ ଅପରେସନର ନାମ ସିନ୍ଦୁର କାହିଁକି ?

Advertisment

କାଶ୍ମୀର ଆମ ପାଇଁ ସ୍ୱର୍ଗ କିନ୍ତୁ ବଦଳରେ ସେମାନଙ୍କୁ କ'ଣ ମିଳିଲା ?

ସପା ସାଂସଦ କହିଥିଲେ ଯେ ‘‘ଯେଉଁ ଯାତ୍ରୀମାନେ ପହଲଗାମ ଯାଇଥିଲେ ସେମାନେ କେଉଁଥିପାଇଁ ଯାଇଥିଲେ ? ୩୭୦ ହଟିବା ପରେ ଲୋକମାନେ ଛାତି ଚଉଡ଼ା କରି ଏହି ଭରସାରେ ଯାଇଥିଲେ ଯେ ସେଠାରେ ଆତଙ୍କବାଦ ଶେଷ ହୋଇଯାଇଛି । କାଶ୍ମୀର ଆମ ପାଇଁ ସ୍ୱର୍ଗ କିନ୍ତୁ ବଦଳରେ ସେହି ଲୋକମାନଙ୍କୁ କ'ଣ ମିଳିଲା ? ଏ ସରକାର ସମସ୍ତଙ୍କ ବିଶ୍ୱାସକୁ ଭାଙ୍ଗିଦେଇଛନ୍ତି । ସେହି ପରିବାର ଆପଣଙ୍କୁ କେବେବି କ୍ଷମା କରିବନାହିଁ ।’’

ଗୋଳା ବାରୁଦରୁ କିଛି ହେବନାହିଁ, ମାନବିକତା ରହିବା ଉଚିତ : 

ଜୟା କହିଥିଲେ ଯେ ‘‘କ'ଣ ସରକାର ସେହି ପରିବାରମାନଙ୍କୁ କ୍ଷମା ମାଗିଛନ୍ତି ? ଏହା ଆମର ଦାୟିତ୍ୱ ଅଟେ । ସରକାରଙ୍କୁ କ୍ଷମା ମାଗିବା ଉଚିତ । ରକ୍ଷା ମନ୍ତ୍ରୀ ଏହି ଘଟଣାକୁ ନେଇ ବଡ଼ ବଡ଼ କଥା କହୁଥିଲେ ଯେ ଆମେ ତୋପ କିଣିଲୁ, ଗୋଳା ବାରୁଦ କିଣିଲୁ, ଏହା କିଣିଲୁ ସେୟା କିଣିଲୁ । କିନ୍ତୁ ଏତେ ତୋପ , ଗୋଳାବାରୁଦର ଆମେ କ’ଣ କରିବା ଯଦି ୨୬ ଜଣ ଲୋକଙ୍କ ଜୀବନ ବଞ୍ଚାଇ ପାରିଲୁ ନାହିଁ ? ଗୋଳା ବାରୁଦ କିଣିଦେଲେ କିଛି ହେବ ନାହିଁ , ମାନବିକତା ରହିବା ଉଚିତ । ସପା ସାଂସଦ କହିଥିଲେ ଯେ ‘‘ମୁଁ ଆପଣ ସମସ୍ତଙ୍କୁ ଏହି ଅନୁରୋଧ କରିବାକୁ ଚାହିବି ଯେ ଦୟାକରି ନମ୍ର ହୁଅନ୍ତୁ । ଆପଣ ସମସ୍ତଙ୍କୁ ଲୋକମାନେ ଯେଉଁ ଆଶା ଏବଂ ବିଶ୍ୱାସ ସହିତ ଏଠାକୁ ପଠାଇଛନ୍ତି, ତାହାର ଚିନ୍ତା କରନ୍ତୁ । ଯିଏ ଆପଣଙ୍କୁ ଏହି ପଦବି ଦେଇଛି ତାହାର ରକ୍ଷା କରନ୍ତୁ ।’’