କନକ ବ୍ୟୁରୋ: “ଆମ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ କାମ କରୁଛି । ମୁଁ ବିଜେଡିର ପ୍ରାର୍ଥୀ ହେବି । ଆମ ଟିମ୍ ନୂଆପଡ଼ା ବୁଲିବା ଆରମ୍ଭ କରିଦେଇଛି”, ଶୁକ୍ରବାର କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଏମିତି କିଛି ବଡ଼଼ ବୟାନ ରଖିଛନ୍ତି ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ଆପଣ ଜାଣିଛନ୍ତି ଯେ, ନୂଆପଡ଼ାରେ ଉପ ନିର୍ବାଚନ ହେବାକୁ ଯାଉଛି, ଆଉ ଏଭଳି ସମୟରେ ବିଜେଡି ସେଠାରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ହେଉଥିଲା । ଖାସ୍ କରି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା । ଯେଉଁ କଥାକୁ ଏବେ ସ୍ପଷ୍ଟ କରିଛନ୍ତି ନିଜେ ଜୟ ଢୋଲକିଆ ।

Advertisment

ଜୟ ଢୋଲକିଆ କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ସାକ୍ଷାତାକାର ଦେଇ କହିଛନ୍ତି, ବିଜେପି ଦଳର ନେତାମାନେ ମୋ ସହ ଯୋଗାଯୋଗରେ ଥିବା କଥା ପୂରାପୂରି ଭୁଲ୍ । ଆମ ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ କାମ କରୁଛି । ବାପା ରାଜନୀତିରେ ଦୀର୍ଘ ବର୍ଷ ହେଲା କାମ କରିଛନ୍ତି, ବିଜୁ ବାବୁଙ୍କ ନେତୃତ୍ୱରେ ସେ ରାଜନୀତିକୁ ଆସିଥିଲେ । ତେଣୁ ବାପା ଯେଉଁ ପଥରେ ଚାଲୁଥିଲେ, ମୁଁ ମଧ୍ୟ ସେହି ପଥରେ ଚାଲିବି ।

ଜାଣିରଖିବା ଉଚିତ ଯେ, ନୂଆପଡ଼ାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି । ଚର୍ଚ୍ଚା ହେଉଚି ଯେ, ବିହାର ବିଧାନସଭା ନିର୍ବାଚନ ସହିତ ନୂଆପଡ଼ାରେ ଉପ-ନିର୍ବାଚନ ହୋଇପାରେ । ଏଥିପାଇଁ ଏବେଠୁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ବିଜେଡି ସ୍ୱର୍ଗତଃ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରି ମୈଦାନକୁ ଓହ୍ଲାଇବା ଏକପ୍ରକାର ପକ୍କା ବୋଲି ଜଣାପଡ଼ୁଛି । ଅନ୍ୟପଟେ ବିଜେପି ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ସେହିପରି କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିପାରେ ବୋଲି ଦଳୀୟ ଅନ୍ଦର ମହଲରୁ ଖବର ଆସୁଛି । ତେଣୁ ଏଥର ନୂଆପଡ଼ା ଉପ-ନିର୍ବାଚନ ଲଢ଼େଇ ରୋଚକ ହେବ ବୋଲି କୁହାଯାଉଛି ।