କନକ ବ୍ୟୁରୋ: ଯେଉଁ ବୟସରେ ମଣିଷ ଆଶ୍ରା ଖୋଜେ  ସେ  ବୟସରେ ଯବାନ ପୁଅ ଚାଲିଗଲା । କେମିତି ସହିବ ଛାତି, କେମିତି ରହିବ ଜୀବନ । ଅକାଳ ମୃତ୍ୟୁ ସିନା ପୁଅକୁ ନେଇଗଲା, ହେଲେ ବଞ୍ଚି ଥାଉ ଥାଉ ସମସ୍ତଙ୍କୁ ଜୀଅନ୍ତା ଶବ କରିଦେଇଗଲା । ଛାଟିପିଟି ହୋଇ କାନ୍ଦୁଛି ଘରଣୀ। ବିକଳ ହେଉଛନ୍ତି ବୁଢା ବାପା, କାନ୍ଦୁଛି ପୂରା ଗାଁ । କାହାରି ଆଖି ବୋଲ ମାନୁନି । ଏ କାନ୍ଦବୋବାଳିରେ ଛାତି ଫାଟିଯାଉଛି।

Advertisment

ଗଞ୍ଜାମ ସାନଖେମୁଣ୍ଡି ପାଟପୁର ଆମ୍ବ ଗାଁର ସୁନା ପୁଅ । ଆଉ ମାତ୍ର ୩ ମାସ ପରେ ଘରକୁ ଫେରିଆସିଥାନ୍ତେ । ଘରର ସବୁ ଦାୟିତ୍ବ ନେଇଥାନ୍ତେ । ବାପା, ବୋଉ, ସ୍ତ୍ରୀଙ୍କୁ କହିଥିଲେ । ହେଲେ ସମୟ ପୂର୍ବରୁ ହିଁ ଫେରିଆସିଲେ କିନ୍ତୁ ଫେରିଲା ବେଳକୁ ଦେହରେ ଜୀବନ ନଥିଲା । ନିସ୍ତେଜ ହୋଇଯାଇଥିଲା ଶରୀର, କଳାକାଠ ପଡିଯାଇଥିଲା ମୁହଁ । କାହାରିକୁ କିଛି କହୁନଥିଲେ । କାରଣ , ଦେଶ ସେବା କରୁକରୁ ଟଳିପଡିଲେ ବୀର ଯବାନ ପବିତ୍ର ରେଡ୍ଡି। ଡ୍ୟୁଟିରେ ଥିବାବେଳେ  ହୃଦଘାତରେ ଚାଲିଗଲା ଜୀବନ । 

ପିଲାବେଳୁ ସେନାରେ ଯିବାକୁ ଚାହୁଥିବା ପବିତ୍ର ଯୁକ୍ତ ଦୁଇ ପାସ୍ କରିବା ପରେ ସେନାରେ ଯୋଗ ଦେଇଥିଲେ । ପଞ୍ଜାବ ଭଟିଣ୍ଡାରେ କାର୍ଯ୍ୟରତ ଥିଲେ ସିପାହୀ ବି. ପବିତ୍ର ରେଡ୍ଡି । ହେଭି ଡ୍ୟୁଟି ଭିତରେ ବି ବେଶ୍ ଖୁସି ରହୁଥିଲେ । ଦିନେ ଘରକୁ ଫୋନ୍ ନକଲେ ତାଙ୍କ ମନ ମାନୁନଥିଲା । ଗତ ରବିବାର ଘରକୁ ଫୋନ୍ କରି ସମସ୍ତଙ୍କ ସହ କଥା ହୋଇଥିଲେ । ସେଇ କଲ୍ ଥିଲା ତାଙ୍କର ଶେଷ କଲ୍ । ରାତିରେ କଲ୍  କରିଥିବା ପୁଅ ସକାଳକୁ ନଥିଲା। ରବିବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ଜୀବନ ଚାଲିଯାଇଥିଲା। ହେଲେ ଖୁସ ମିଜାଜ ପବିତ୍ରଙ୍କର ଏଭଳି ମୃତ୍ୟୁକୁ କେହି ବିଶ୍ବାସ କରିପାରିଲେନି । ହେଲେ ସତ ସବୁବେଳେ ସତ । ତାକୁ ଗ୍ରହଣ କରିବାକୁ ହିଁ ପଡିବ ।

ସେନା ଗାଡିରେ ଗାଁ ମାଟିରେ ପହଞ୍ଚିଥିଲା   ଯବାନଙ୍କ ପାର୍ଥିବ ଶରୀର । ମାଡିଆସିଥିଲା ଜନଗହଳି । କାନ୍ଦବୋବାଳିରେ ଫାଟିପଡିଲା ଗାଁ ଦାଣ୍ଡ  । ଛାଟିପିଟି ହୋଇ କାନ୍ଦୁଥିଲେ ବୁଢା ବାପା, ସ୍ବାମୀଙ୍କ କବରକୁ ଧରି ସ୍ଥାଣୁ ପାଲଟିଯାଇଥିଲେ ସ୍ତ୍ରୀ, ଆଉ କୁନି ଝିଅ କଥା କ’ଣ ବା କହିବା । ବାପା, ବାପା ବୋଲି କହି ରଡି ମାରି କାନ୍ଦୁଥିଲା । ତା’ ବାପାଙ୍କୁ ଗୁଡେଇ କୁଆଡେ ନେଇଯାଉଛନ୍ତି ବୋଲି ପଚାରୁଥିଲା । ହେଲେ ଏସବୁକୁ ବାଟ କାଟି ପବିତ୍ରଙ୍କ ମର ଶରୀରକୁ ମଶାଣିକୁ ନେଇଗଲା ସମୟ । ସେଠାରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶେଷ ହୋଇଥିଲା ପବିତ୍ରଙ୍କ ଅନ୍ତ୍ୟେଷ୍ଟି କ୍ରିୟା। 

ଯେତେ ଅର୍ଥ ମିଳୁ , ଯେତେ ସୁବିଧା ମିଳୁ ହେଲେ  ସ୍ବାମୀର ସିନ୍ଦୁର ତ ଫେରିବନି । ବୁଢା ବାପାର ପୁଅ ତ ଫେରିବନି କି କୁନି ଝିଅର ବାପା ଫେରିବେନି । ତେଣୁ ଈଶ୍ବରଙ୍କ ପାଖରେ ଏତକି ପ୍ରାର୍ଥନା, ବୀର ଯବାନଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ , ଆଗକୁ ବଞ୍ଚିବାକୁ ବାଟ ଦେଖାନ୍ତୁ ।