କନକ ବ୍ୟୁରୋ: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପୁଣି ଥରେ ଚର୍ଚ୍ଚାରେ । ଏଥର ବିବାଦର କାରଣ ପାଲଟିଛି ହଷ୍ଟେଲ ମେସ୍ରେ ଶାକାହାରୀ ଏବଂ ମାଂସାହାରୀ ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଖାଇବା ବ୍ୟବସ୍ଥା । ମାହି-ମାଣ୍ଡବୀ ହଷ୍ଟେଲରେ ଏକ ନୋଟିସ୍ ଲଗାଯିବା ପରେ ଏହି ବିବାଦ ସାମ୍ନାକୁ ଆସିଛି । ଯାହାକୁ ନେଇ ଛାତ୍ର ସଂଗଠନ ଓ ପ୍ରଶାସନ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଛି । ଲଗାଯାଇଥିବା ନୋଟିସରେ ଶାକାହାରୀ ଏବଂ ମାଂସାହାରୀ ଛାତ୍ରଛାତ୍ରୀଙ୍କ ପାଇଁ ମେସ୍ରେ ଅଲଗା ଅଲଗା ସ୍ଥାନରେ ବସି ଖାଇବା ପାଇଁ କୁହାଯାଇଥିଲା ।
ଏହି ନୋଟିସ୍ ସାମ୍ନାକୁ ଆସିବା ପରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (JNUSU) ଏହାକୁ ତୀବ୍ର ବିରୋଧ କରିଥିଲା । ଜେଏନୟୁ ଛାତ୍ର ସଂଘ ଏହି ଘଟଣାକୁ ଦୃଢ଼ ନିନ୍ଦା କରିଛି । ସେମାନଙ୍କ କହିବା ଅନୁଯାୟୀ, ଏହା କ୍ୟାମ୍ପସରେ ବିଭାଜନ ସୃଷ୍ଟି କରିବା ଏବଂ ଘୃଣାର ରାଜନୀତିକୁ ପ୍ରୋତ୍ସାହନ ଦେବାର ଏକ ପ୍ରୟାସ । ଜେଏନ୍ୟୁଏସୟୁ ଏକ ବିବୃତ୍ତି ଜାରି କରି କହିଛି ଯେ, "ଆମ ହଷ୍ଟେଲରେ କୌଣସି ପ୍ରକାରର ବିଭେଦକୁ ଗ୍ରହଣ କରାଯିବ ନାହିଁ ।" ସେମାନେ ଏହାକୁ ହଷ୍ଟେଲ ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି କହିଛନ୍ତି । ସେମାନଙ୍କ ମତରେ, ଜେଏନୟୁର ସଂସ୍କୃତି ସର୍ବଦା ବହୁଳତା, ବିବିଧତା ଏବଂ ଗଣତାନ୍ତ୍ରିକ ସହାବସ୍ଥାନକୁ ଗୁରୁତ୍ୱ ଦେଇଆସିଛି । ଏହି ଘଟଣା ବିରୋଧରେ ଛାତ୍ର ସଂଘ ପକ୍ଷରୁ ହଷ୍ଟେଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଅନ୍ୟପଟେ, ଏବିଭିପି ଏହି ଅଭିଯୋଗକୁ ଖଣ୍ଡନ କରିଛି । ଏବିଭିପିର ଜେଏନୟୁ ଶାଖାର ସଭାପତି କହିଛନ୍ତି ଯେ ଏହି ନିଷ୍ପତ୍ତି ସଂଗଠନ ପକ୍ଷରୁ ନିଆଯାଇନାହିଁ, ବରଂ କିଛି ଶାକାହାରୀ ଛାତ୍ର ଅସହଜ ମନେ କରିବାରୁ ନିଜେ ଅଲଗା ବସିବାକୁ ନିଷ୍ପତ୍ତି ନେଇଥିଲେ । ଏହାକୁ ପ୍ରତ୍ୟେକ ଛାତ୍ରର "ପସନ୍ଦର ସ୍ୱାଧୀନତା" ବୋଲି ଏବିଭିପି ପକ୍ଷରୁ କୁହାଯାଇଛି । ଏବିଭିପିର ଜେଏନୟୁଏସୟୁ ଯୁଗ୍ମ ସମ୍ପାଦକଙ୍କ ଅନୁଯାୟୀ, ଶ୍ରାବଣ ମାସ ପାଳନ କରୁଥିବା କିଛି ଛାତ୍ରଙ୍କ ଦ୍ୱାରା ଏହି ପୋଷ୍ଟର ଲଗାଯାଇଥିଲା । ବିବାଦ ବଢ଼ିବା ପରେ ଜେଏନୟୁଏସୟୁର ସଦସ୍ୟମାନେ ହଷ୍ଟେଲର ସିନିୟର ୱାର୍ଡେନଙ୍କୁ ଭେଟିଥିଲେ । ୱାର୍ଡେନ କହିଛନ୍ତି ଯେ ଏଭଳି କୌଣସି ନିର୍ଦ୍ଦେଶ ବିଷୟରେ ତାଙ୍କୁ ପୂର୍ବରୁ ଅବଗତ କରାଯାଇ ନଥିଲା । ସେ ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ।