କନକ ବ୍ୟୁରୋ : କାୟା ମେଲାଉଛି ଜଣ୍ଡିସ । ବିଶେଷ କରି ବର୍ଷା ଆସିଲେ ରାଜଧାନୀ ବସ୍ତିକୁ ମାଡ଼ି ଆସେ ଆତଙ୍କ । କେତେବେଳେ ଡାଇରିଆ ତ ପୁଣି କେତେବେଳେ ଡେଙ୍ଗୁ । ଏବେ ବସ୍ତିରେ ଭୟ ସୃଷ୍ଟି କରିଛି ଜଣ୍ଡିସ । ବିଏମ୍‌ସି ୫୬ ନମ୍ବର ୱାର୍ଡ ଅନ୍ତର୍ଗତ ବିଜେବି ନଗର ମହିଷାଖାଲ ଅଞ୍ଚଳରେ ଏବେ ଜଣ୍ଡିସ ଆତଙ୍କ ଦେଖାଦେଇଛି ।

ଡାଇରିଆ ପରେ ଡରାଇଲାଣି ଜଣ୍ଡିସ
ସ୍ୱଚ୍ଛ ପାଣିକୁ ନେଇ ଉଠିଲା ପ୍ରଶ୍ନ

Advertisment

କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ଖୋଦ୍‌ ରାଜଧାନୀରେ ସ୍ଥିତି ବେହାଲ । ବିଜେବିନଗର ମହିଷାଖାଲ ବସ୍ତିରେ ଚିନ୍ତା ବଢ଼ାଇଛି ଜଣ୍ଡିସ । ଅସ୍ବାସ୍ଥ୍ୟକର ପରିବେଶ ସାଙ୍ଗକୁ ଦୂଷିତ ପାଣି ବ୍ୟବହାର, ଜଣ୍ଡିସର ମୂଳ କାରଣ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଅନେକ ସମୟରେ ସପ୍ଲାଏ ପାଣିରୁ ପୋକ ବାହାରୁଥିବା ବି ଅଭିଯୋଗ ହୋଇଛି । ମହିଷାଖାଲରୁ ୧୧ ଜଣ ଜଣ୍ଡିସ ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି। ନିକଟରେ ଦୟା ୱେଷ୍ଟ କେନାଲ ଥିବାରୁ ପାଣି ପ୍ରଦୂଷିତ ହେଉଛି । ଯାହାକି ଜଣ୍ଡିସ୍‌ର କାରଣ ବୋଲି ସନ୍ଦେହ କରାଯାଉଛି । ହେଲେ ବିଏମ୍‌ସି କହିଛି ପାଣି ନୁହେଁ, ଅସ୍ୱାସ୍ଥ୍ୟକର ଖାଦ୍ୟରୁ ବ୍ୟାପିଛି ଜଣ୍ଡିସ । ୱାଟ୍‌କୋ ସହ ଆଲୋଚନା କରି ପାଣିର ଉତ୍ସକୁ ଯାଞ୍ଚ ସହ ସେହି ଜାଗାକୁ ବିଶୋଧନ କରାଯାଉଛି ବୋଲି କହିଛନ୍ତି ମେୟର । କେତେବେଳେ ଅସ୍ୱାସ୍ଥ୍ୟକର ଖାଦ୍ୟ ତ ଆଉ କେତେବେଳେ ପ୍ରଦୂଷିତ ଜଳ । ଯାହାକି ସହରର ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଛି । ସମୟ ଥାଇ ସମାଧାନର ବାଟ ବାହାର ନ କଲେ ସ୍ଥିତି ଯେ ଭୟଙ୍କର ହେବ, ଏଥିରେ କିଛି ସନ୍ଦେହ ନାହିଁ ।