କନକ ବ୍ୟୁରୋ : ଶିକ୍ଷାଦାନର ମନ୍ଦିର ଏବେ ପାଲଟିଛି ରୋଗର ପେଣ୍ଠସ୍ଥଳୀ । ପୁରୀ ଜିଲ୍ଲା ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ରାଧାକାନ୍ତ ବିଦ୍ୟାପୀଠରେ ଏବେ ଜଣ୍ଡିସ ବା କାମଳ ରୋଗର କାୟା ବିସ୍ତାର କରିଛି । ବିଦ୍ୟାଳୟର ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହେବା ପରେ ସମଗ୍ର ଅଞ୍ଚଳରେ ତଥା ଅଭିଭାବକ ମହଲରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି ।
ଅଭିଯୋଗ ଅନୁଯାୟୀ, ବିଦ୍ୟାଳୟ ପରିସରରେ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନ ଏବଂ ପାନୀୟ ଜଳର ଅବ୍ୟବସ୍ଥା ଯୋଗୁଁ ପିଲାମାନେ ରୋଗାକ୍ରାନ୍ତ ହେଉଛନ୍ତି । ବିଦ୍ୟାଳୟର ମୁଖ୍ୟ ପ୍ରବେଶ ପଥ କଡ଼ରେ ଥିବା ଆବର୍ଜନା କୁଣ୍ଡରୁ ଦୁର୍ଗନ୍ଧ ଛୁଟୁଥିବା ବେଳେ ରୋଷଶାଳାର ସ୍ଥିତି ମଧ୍ୟ ଅତି ଶୋଚନୀୟ । ସବୁଠାରୁ ଭୟଙ୍କର କଥା ହେଉଛି, ପିଲାମାନେ ବ୍ୟବହାର କରୁଥିବା ଟ୍ୟାପ୍ ପାଣିରୁ ଗୁଣ୍ଡ ଓ ଶିଉଳି ବାହାରୁଛି । ନୂତନ କୋଠାରେ ଥିବା ପାଣି ଟାଙ୍କିକୁ କେବେ ସଫା କରାଯାଇଛି କିମ୍ବା ସେଥିରେ ବ୍ଲିଚିଂ ପାଉଡର ପକାଯାଇଛି, ସେ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ସଠିକ ତଥ୍ୟ ନାହିଁ ।
ଅଧିକ ପଢ଼ନ୍ତୁ : ଭିଜିଲାନ୍ସ ଜାଲରେ ଆରଆଇ; ପଟା ସଂଶୋଧନ କରାଇଦେବା ପାଇଁ ନେଉଥିଲେ ଲାଞ୍ଚ
ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୨୦୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ରୋଷେଇ ଓ ପରିମଳ ବ୍ୟବସ୍ଥା ପାଇଁ ୨ ଜଣ ପାଚିକା ଏବଂ ୩ ଜଣ ଚପରାସୀ ନିୟୋଜିତ ଥିଲେ ମଧ୍ୟ ସେମାନେ ନିଜ କର୍ତ୍ତବ୍ୟରେ ଚରମ ଅବହେଳା କରୁଥିବା ଅଭିଭାବକମାନେ ସିଧାସଳଖ ଆରୋପ ଲଗାଇଛନ୍ତି । ସରକାରୀ ନିୟମ ଅନୁସାରେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉ ନଥିବାରୁ କୋମଳମତି ପିଲାଙ୍କ ଜୀବନ ଏବେ ବିପଦରେ ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଡାକ୍ତରୀ ଦଳ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ୯ ଜଣ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଏଥିସହ ବିଦ୍ୟାଳୟର ପାନୀୟ ଜଳର ମଧ୍ୟ ନମୁନା ସଂଗ୍ରହ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/27/jaundice-2026-02-27-16-52-44.jpg)