କନକ ବ୍ୟୁରୋ : ଯାତ୍ରାରେ ଆଉ ଚାଲିବନି ମାଲିକଙ୍କ ମନମାନି । ଦାମୀ କଳାକାର ନୁହେଁ, ଦରକାର ଦମ୍ଦାର କାହାଣୀ । ଯାତ୍ରାରେ ନଗ୍ନତାକୁ ଦିଆଯିବନି ପ୍ରୋତ୍ସାହନ । ପୁଣି ଟିକେଟ ଦର ବି ମନ ଇଚ୍ଛା ହୋଇପାରିବନି । ଏମିତି କିଛି ନିଷ୍ପତ୍ତି ନେଇଛି ଯାତ୍ରା କମିଟି ସୁରକ୍ଷା ମଞ୍ଚ । ଏନେଇ କିଛି ମାଲିକଙ୍କ ସହ ଆଲୋଚନା ହୋଇଥିବା ବେଳେ ଖୁବଶୀଘ୍ର ରାଜ୍ୟର ସମସ୍ତ ଯାତ୍ରା ମାଲିକଙ୍କୁ ଡାକି ଆଲୋଚନା କରାଯିବ ।
ଯାତ୍ରାକୁ ନେଇ ଖୁବ୍ଶୀଘ୍ର ଆସୁଛି ଖୁସି ଖବର । ଅଶ୍ଳୀଳତାକୁ ଦିଆଯିବନି ପ୍ରଶ୍ରୟ । ଯାତ୍ରା ଟିକେଟ୍ ଦର ବି କମିବ । ଭୁବନେଶ୍ୱରରେ ଯାତ୍ରା କମିଟି ସୁରକ୍ଷା ମଞ୍ଚ ବୈଠକରେ ଏ ନେଇ ଜୋରଦାର ଆଲୋଚନା ହୋଇଛି । ଆସନ୍ତା ଯାତ୍ରା ୠତୁ ପୂର୍ବରୁ ଦର ନିର୍ଦ୍ଧାରଣ ହେବ ବୋଲି କହିଛି ଯାତ୍ରା କମିଟି ସୁରକ୍ଷା ମଞ୍ଚ । ଏବେ ରାତି ପିଛା ଏ-ଗ୍ରେଡ୍ ଦଳ ୪ ଲକ୍ଷ ୨୦ ହଜାର ଟଙ୍କା ନେଉଛନ୍ତି । ତେଣୁ ଯାତ୍ରା ଦେଖିବାକୁ ୨ ଶହରୁ ୪ଶହ ଟଙ୍କାରେ ବିକ୍ରି ହେଉଛି ଟିକେଟ୍ । ଯାତ୍ରା ପାର୍ଟି ଗ୍ରେଡେସନ ଭିତ୍ତିରେ ରାତି ପିଛା ଯାତ୍ରା ପରିବେଷଣର ଦର ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛି ସୁରକ୍ଷା ମଞ୍ଚ । ଏ-ଗ୍ରେଡ୍ ଦଳ ରାତି ପିଛା ଯାତ୍ରା ପରିବେଷଣ ଦର ୨ ଲକ୍ଷ ୫୦ହଜାର, ବି-ଗ୍ରେଡ୍ ୨ ଲକ୍ଷ ଓ ସି-ଗ୍ରେଡ୍ ଦଳ ୧ ଲକ୍ଷ ୮୦ ହଜାର ଟଙ୍କା ଦର ଧାର୍ଯ୍ୟ କରିବାକୁ ଆଲୋଚନା ହୋଇଛି । ଏହି ଦର ହେଲେ ଲୋକେ ଶହେରୁ ୨ଶହ ଟଙ୍କା ଭିତରେ ଟିକେଟ ଦେଇ ଯାତ୍ରା ଦେଖିପାରିବେ ।
ଯାତ୍ରାରେ ନଗ୍ନତାକୁ ଆଦୌ ପ୍ରଶ୍ରୟ ଦିଆଯିବନି । ଏନେଇ ସମସ୍ତ ଯାତ୍ରା ଆୟୋଜକ କମିଟିମାନେ ସହମତି ପ୍ରକାଶ କରିଛନ୍ତି । ଅଶ୍ଳୀଳତା ପାଇଁ ମହିଳା ଦର୍ଶକଙ୍କ ସଂଖ୍ୟା କମୁଛି । ଏଥିସହ ଯାତ୍ରା ମାଲିକ ଓ ଯାତ୍ରା କମିଟି କର୍ମକର୍ତ୍ତାମାନେ ଉଭୟଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବ ଏବଂ ବୁଝାମଣା ଭିତ୍ତିରେ ଯାତ୍ରା କଳାର ଉନ୍ନତି ସାଧନ ହୋଇପାରିବ ବୋଲି ମତ ପାଇଛି ।
ଶହେରୁ ଅଧିକ ଯାତ୍ରା କମିଟିମାନଙ୍କୁ ନେଇ ଏ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଅପେରା କମିଟି ତଥା ଦୋଳ ପୂର୍ଣ୍ଣିମା କମିଟି, ଗ୍ରାମ୍ୟ କମିଟି, ମନ୍ଦିର କମିଟି ଓ ମେଳା କମିଟି ସାମିଲ ଅଛନ୍ତି । ଆଗକୁ ରାଜ୍ୟର ସମସ୍ତ ଯାତ୍ରା ମାଲିକଙ୍କୁ ଡାକି ଆଲୋଚନା କରାଯିବ ବୋଲି ଓଡ଼ିଶା ଯାତ୍ରା କମିଟି ସୁରକ୍ଷା ମଞ୍ଚ ପକ୍ଷରୁ କୁହାଯାଇଛି ।