କନକ ବ୍ୟୁରୋ: ଗଣେଶ ପୂଜା ପାଇଁ ଜଟଣୀରେ ଏବେ ଉତ୍ସବମୁଖର ପରିବେଶ । ହେଲେ ତା ଭିତରେ ଜଟଣୀ ରାଜନୀତି କିନ୍ତୁ ଭିତରେ ଉଷ୍ମ ହେବାରେ ଲାଗିଛି । ଜଟଣୀ ପୌରାଧ୍ୟକ୍ଷ ଅନନ୍ତ ବେହେରାଙ୍କ ବିରୋଧରେ ମେଳି ବାନ୍ଧିଛନ୍ତି ୧୮ ଜଣ କାଉନସିଲର । ଏହି କାଉନସିଲରମାନେ ଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଆଗତ କରିବା ନେଇ ମିଟିଂ କରିବା ପରେ ସରଗରମ ହୋଇଛି ଜଟଣୀ ରାଜନୀତି ।

Advertisment

ରବିବାର ଜଟଣୀ ପୌରାଧ୍ୟକ୍ଷଙ୍କ ବିରୋଧରେ ୨୩ରୁ ୧୮ ଜଣ କାଉନସିଲର ଏକାଠି ହୋଇଥିଲେ । ଏହି କାଉନସିଲରମାନେ ଦୀର୍ଘ ଦିନ ହେଲା ପୌରାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଉପାଧ୍ୟକ୍ଷା ଆରତୀ ରାଉତଙ୍କ ନେତୃତ୍ୱରେ ଏହି କାଉନସିଲରମାନେ ସୋମବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦରଖାସ୍ତ ଦେଇଛନ୍ତି । ଯାହା ଜଟଣୀ ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।

ଜାଣିରଖିବା ଉଚିତ ଯେ, ଜଟଣୀ ମ୍ୟୁନିସିପାଲଟି ଦୀର୍ଘ ବର୍ଷ ହେଲା କଂଗ୍ରେସର ଗଡ଼ ହେଇ ରହିଥିଲା । ହେଲେ ଗତ ପୌର ନିର୍ବାଚନରେ କିନ୍ତୁ ଏଠି ଶଙ୍ଖ ଫୁଟିଥିଲା । ଗତଥର ସେଠାରୁ ବିଜେଡି ପ୍ରାର୍ଥୀ ହୋଇଥିବା ଅନନ୍ତ ବେହେରା ୫ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୀୟ ହୋଇଥିଲେ । ପୌର ପରିଷଦର ୨୩ ଓ୍ୱାର୍ଡରୁ ବିଜେଡି କାଉନସିଲରଙ୍କ ସଂଖ୍ୟା ଥିଲା ୨୦ । ହେଲେ ବିଭିନ୍ନ କାରଣରୁ କିନ୍ତୁ ଏବେ କାଉନସିଲର ଏବଂ ପୌରାଧ୍ୟକ୍ଷଙ୍କ ଭିତରେ ଚାଲିଛି ଶୀତଳ ଯୁଦ୍ଧ । ଯେଉଁଥିପାଇଁ କାଉନସିଲରମାନେ ଏକାଠି ହେବା ସହଗିତ ଅନାସ୍ଥା ଆଣିବାକୁ ସଜବାଜ ହେଉଥିବା ଜଣାପଡ଼ିଛି ।