କନକ ବ୍ୟୁରୋ: ନବରଙ୍ଗପୁରରେ ଫଳୁଛି ଜାପାନର ମିଆଜାକି ପ୍ରଜାତିର ଆମ୍ବ । ଅନ୍ତର୍ଜାତୀୟ ବଜାରରେ ଦାମ୍ କିଲୋ ୧ ଲକ୍ଷ ଟଙ୍କାରୁ ଅଧିକ । ମିଆଜାକି ଆମ୍ବକୁ ଏଗ୍ ଅଫ୍ ସନ୍ କୁହାଯାଏ । ଅଣ୍ଡାକୃତି ସିନ୍ଦୂର ରଙ୍ଗର ଏହି ଆମ୍ବକୁ ଦୀର୍ଘଦିନ ଧରି ଫ୍ରିଜରେ ରଖିହେବ । ଔଷଧୀୟ ଗୁଣରେ ଭରପୂର । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ୍ ଡେଙ୍ଗା ତୋଟାଗୁଡ଼ା ଗାଁରେ ଏହି ଆମ୍ବ ଫଳୁଛି ।

Advertisment

ଅଗ୍ରଣୀ ଚାଷୀ ସୁଧାଂଶୁ ପାଢ଼ୀ ପରୀକ୍ଷାଭିତ୍ତିରେ ନିଜ ଫାର୍ମରେ ଚାଷ କରିଛନ୍ତି ।  ୨୦୨୩ରେ ଏକ ନର୍ସରିରୁ ୨୧, ୦୦୦ ଟଙ୍କାରେ ୧୧ଟି ଆମ୍ବଚାରା କିଣି ଲଗାଇଥିଲେ । ଗୋବର, ନିମ ଓ ଜିଆଖତ ବ୍ୟବହାର କରିଥିଲେ । ଉଦ୍ୟାନ କୃଷି ବିଭାଗ ସହାୟତାରେ ସୁଧାଂଶୁଙ୍କ ଫାର୍ମରେ ବୁନ୍ଦାଜଳ ସେଚନ ବ୍ୟବସ୍ଥା କରାଯାଇଛି ।  ଗଛକୁ ଠିକ ପୋଷଣ ମିଳିଥିବାରୁ ଦୁଇବର୍ଷ ମଧ୍ୟରେ ଫଳ ଫଳିଛି । ମାତ୍ର ୬ରୁ ୭ ଫୁଟ ଉଚ୍ଚ ଗଛରେ ଆମ୍ବ ଫଳିଛି  ।

ସୁଧାଂଶୁ ତାଙ୍କ ଫାର୍ମରେ କେଶର, ଚଉସା, ଆଲଫାନସୋ ଆମ୍ବ ସହ ପିଜୁଳି ଚାଷ କରନ୍ତି । ତେବେ ମିଆଜାକି ଆମ୍ବ ଚାଷ କରି ସେ ନୂତନ ପରୀକ୍ଷଣ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏତେ ଦାମୀ ଆମ୍ବ ବିକ୍ରି ପାଇଁ ବଜାର ସୁବିଧା ନାହିଁ । ତଥାପି ଆଗାମୀ ଦିନରେ ପୁଣି ଚାରା ଆଣି ଲଗାଇବେ ବୋଲି ସୁଧାଂଶୁ କହିଛନ୍ତି । ଏହି ଆମ୍ବର ବିକ୍ରି ପାଇଁ ଆଗକୁ ବଜାର ବ୍ୟବସ୍ଥା କରାଯିବ ବୋଲି ଉଦ୍ୟାନ କୃଷି ଉପନିର୍ଦ୍ଦେଶକ କହିଛନ୍ତି ।