ଜାପାନର ଉତ୍ତର ଭାଗରେ ପ୍ରକୃତି ତାଣ୍ଡବ ରଚିଛି। ଗତ ଦୁଇ ସପ୍ତାହ ଧରି ପ୍ରବଳ ତୁଷାରପାତ ସମଗ୍ର ସହରକୁ ଧଳା ମୃତ୍ୟୁର ଚାଦରରେ ଘୋଡ଼ାଇ ଦେଇଛି। ଜାପାନୀ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ତୁଷାରପାତ ଯୋଗୁ ଏପର୍ଯ୍ୟନ୍ତ ୩୫ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କର ଛାତରୁ ବରଫ ହଟାଇବା ସମୟରେ ଖସି ପଡ଼ି ମୃତ୍ୟୁ ହୋଇଥିବାବେଳେ କେତେକର ହଠାତ୍ ହୃଦଘାତର ଶିକାର ହୋଇ ଜୀବନ ଯାଇଛି।

Advertisment

ରେକର୍ଡ ଭାଙ୍ଗିଲା ତୁଷାରପାତ

ଅଧିକାରୀଙ୍କ ଅନୁଯାୟୀ, ବୁଧବାର ସୁଦ୍ଧା, ଜାପାନର ୧୫ଟି ପ୍ରାନ୍ତ ଏହି ବିପର୍ଯ୍ୟୟ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହୋଇଛି। କିଛି ଅଞ୍ଚଳରେ ୨ ମିଟର ପର୍ଯ୍ୟନ୍ତ ବରଫ ଆଚ୍ଛାଦିତ ହୋଇଛି। ଜାପାନର ପ୍ରମୁଖ ଧାନ ଉତ୍ପାଦନକାରୀ ଅଞ୍ଚଳ ନିଗାତା ପ୍ରାନ୍ତର ପରିସ୍ଥିତି ସବୁଠାରୁ ଗମ୍ଭୀର ରହିଛି। ସେଠାରେ ୧୨ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ଆକିତାରେ ସାତ ଜଣ ଓ ୟାମାଗାଟାରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି। ଆଓମୋରି ଅଞ୍ଚଳରେ ୧୮୩ ସେଣ୍ଟିମିଟର ତୁଷାରପାତ ରେକର୍ଡ କରାଯାଇଛି। ଗତ ୪୦ ବର୍ଷ ମଧ୍ୟରେ ଏହା ସର୍ବାଧିକ। ସୂଚନା ଅନୁଯାୟୀ, ତୁଷାରପାତରେ ଏପର୍ଯ୍ୟନ୍ତ ୩୯୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।

ଭୂସ୍ଖଳନ ଆଶଙ୍କା

ଜାପାନର ମୁଖ୍ୟ କ୍ୟାବିନେଟ୍ ସଚିବ ମିନୋରୁ କିହାରା ନାଗରିକମାନଙ୍କୁ ସତର୍କ କରାଇ ଦେଇଛନ୍ତି ଯେ ପାଗ ଗରମ ହେବା ଓ ତୁଷାର ତରଳିବା ସହିତ ଭୂସ୍ଖଳନ ଆଶଙ୍କା ବୃଦ୍ଧି ପାଇବ। ସେ ଲୋକମାନଙ୍କୁ ବରଫ ସଫା କରିବା ସମୟରେ ହେଲମେଟ୍ ଓ ଅଣ୍ଟାରେ ଲାଇଫଲାଇନ ରଶି ବାନ୍ଧିବାକୁ ପରାମର୍ଶ ଦେଇଛନ୍ତି।

ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଆତ୍ମରକ୍ଷା ବାହିନୀ

ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ ଗଠନ କରିଛନ୍ତି ଓ ତୁଷାରସଫା କରିବା ଓ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆତ୍ମରକ୍ଷା ବାହିନୀ ଜାପାନୀ ସାମରିକ ବାହିନୀଙ୍କୁ ନିୟୋଜିତ କରିଛନ୍ତି। ଆଗାମୀ ସପ୍ତାହାନ୍ତରେ ପ୍ରବଳ ତୁଷାରପାତ ହେବାର ପୂର୍ବାନୁମାନ କରାଯାଇଛି।ଏନେଇ ପ୍ରଶାସନର ଚିନ୍ତାକୁ ବୃଦ୍ଧି ପାଇଛି।