କନକ ବ୍ୟୁରୋ: ଜାପାନରେ ଚାଉଳ ସଙ୍କଟ । ଦେଶରେ ଚାଉଳ ନଥିବାରୁ ସେଠାକାର ସରକାରଙ୍କ ମୁଣ୍ଡରେ ଚଡ଼କ ପଡିଛି । କାରଣ ଜାପାନରେ ଚାଉଳ ମୂଲ୍ୟ ଆକାଶଛୁଆଁ । ୨୩ ମେ’ରେ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି, ଗତ ମାସରେ, ଚାଉଳ ମୂଲ୍ୟ ଗତ ବର୍ଷ ତୁଳନାରେ ୯୮ ପ୍ରତିଶତ ଅଧିକ ଥିଲା,ଅର୍ଥାତ୍ ଦୁଇ ଗୁଣା ଅଧିକ । ତେବେ ସବୁଠାରୁ ଚକିତ କଲା ଭଳି ଖବର ଏହା ଯେ ଚାଉଳ ସଙ୍କଟ ଯୋଗୁଁ ଜାପାନର କୃଷି ମନ୍ତ୍ରୀଙ୍କୁ ପଦ ହରାଇବାକୁ ପଡ଼ିଛି । ତେବେ ଆସନ୍ତୁ ଜାଣିବା ଜାପାନରେ କଣ ପାଇଁ ବଢ଼ିଲା ଚାଉଳ ମୂଲ୍ୟ ?
ବିଶେଷଜ୍ଞଙ୍କ କହିବାନୁଯାୟୀ ଚାଉଳର ମୂଲ୍ୟ ବଢ଼ିବା ମୁଖ୍ୟ କାରଣ ହେଉଛି ଏହାର ଯୋଗାଣ ଅଭାବ । ଭାତ ହେଉଛି ଜାପାନର ଏକ ମୁଖ୍ୟ ଖାଦ୍ୟ ଯାହା ଶତାବ୍ଦୀ ଧରି ଜାପାନୀ ସଂସ୍କୃତିରେ ଗଭୀର ଭାବରେ ଜଡ଼ିତ ।
ଚାଉଳ ଅଭାବ ପଛରେ ଥିବା କାରଣଗୁଡ଼ିକ ମଧ୍ୟରେ ୨୦୨୩ ମସିହାରେ ପ୍ରବଳ ଗରମ ଅନ୍ତର୍ଭୁକ୍ତ, ଯେଉଁଥିପାଇଁ ଫସଲରେ ବ୍ୟାପକ କ୍ଷତି ହୋଇଥିଲା । ଅନ୍ୟପକ୍ଷରେ, ୨୦୨୪ ମସିହାରେ ଏକ ବଡ଼ ଭୂମିକମ୍ପ ସତର୍କତା ଜାରି ପରେ ଆତଙ୍କିତ ହୋଇ ଲୋକେ ଆଗୁଆ ଚାଉଳ କିଣି ମହଜୁଦ୍ ରଖିଥିଲେ । ଯଦିଓ ସେହି ସ୍ତରର ଭୂମିକମ୍ପ ହୋଇନଥିଲା, ତଥାପି ବ୍ୟାପକ ପରିମାଣରେ ଚାଉଳ କ୍ରୟ ଯୋଗୁଁ ଖୋଲା ବଜାରରେ ନିଶ୍ଚିତ ଭାବରେ ଅଭାବ ଦେଖାଦେଇଥିଲା । ଅନ୍ୟ ଏକ କାରଣ ହେଉଛି ଜାପାନରେ ଧାନ ଚାଷ କରୁଥିବା କୃଷକ ବୁଢ଼ା ହୋଇଗଲେଣି ଆଉ ତାଙ୍କ ପିଲାମାନେ ଚାଷ କରିବାକୁ ମନବଳାଉନାହାନ୍ତି।
ପରିସ୍ଥିତିକୁ ଦେଖି ସରକାର ଫେବ୍ରୁଆରୀ ମାସରେ ଜରୁରୀକାଳୀନ ଗଚ୍ଛିତ ଧାନ ଭଣ୍ଡାରର ନିଲାମ କରିବା ଆରମ୍ଭ କରିଛନ୍ତି । ପୂର୍ବରୁ ଏଗୁଡ଼ିକ ବିପର୍ଯ୍ୟୟ ସମୟରେ ବ୍ୟବହାର କରାଯାଉଥିଲା କିନ୍ତୁ ଏବେ ଚାଉଳ ଅଭାବ ଯୋଗୁଁ ଏଗୁଡ଼ିକ ବ୍ୟବହାର କରାଯାଉଛି । ୧୯୯୫ ମସିହାରେ ଷ୍ଟୋର ପ୍ରତିଷ୍ଠା ହେବା ପରଠାରୁ ଏହା ପ୍ରଥମ ଥର ନିଲାମ ହୋଇଛି । ତେବେ ଜାପାନରେ ଉତ୍କଟ ହେଉଛି ଚାଉଳ ସମସ୍ୟା ।