କ’ଣ ଜାପାନରେ ଅଛି କି ନେତାଜୀଙ୍କ ଅସ୍ଥି ? ସୁଭାଷ ଚନ୍ଦ୍ର ବୋଷଙ୍କୁ ପୂଜା କରେ ଜାପାନ

ପ୍ରତିବର୍ଷ ଏହି ମନ୍ଦିରକୁ ଅଗଷ୍ଟ ୧୪ ତାରିଖରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଏ । ୯ ଡିସେମ୍ବର ୨୦୦୧ ରେ ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଏହି ମନ୍ଦିରକୁ ଆସିଥିଲେ ।

Subash Chandra Bose

Subash Chandra Bose Photograph: (KanakNews)

କନକ ବ୍ୟୁରୋ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ଆଜି ବି ଏକ ରହସ୍ୟ ହୋଇ ରହିଛି । ୧୮ ଅଗଷ୍ଟ ୧୯୪୫ ରେ ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଏ । ଏହା ମଧ୍ୟ କୁହାଯାଏ ଯେ ରେଙ୍କୋଜୀ ମନ୍ଦିରରେ ନେତାଜୀଙ୍କ ଅସ୍ଥି ରଖାଯାଇଛି । ତେବେ ଏହି ମନ୍ଦିର ଭାରତରେ ନୁହେଁ ବିଦେଶରେ ରହିଛି । ଅର୍ଥାତ ନେତାଜୀଙ୍କ ଚିନ୍ତାଧାରାର ଛାପ କେବଳ ଭାରତ ଉପରେ ନୁହେଁ ସୂଦୁର ଜାପାନରେ ମଧ୍ୟ ରହିଛି । ଜାପାନର ରାଜଧାନୀ ଟୋକିଓରେ ଅବସ୍ଥିତ ଥିବା ରେଙ୍କୋଜୀ ମନ୍ଦିର ସେଠାକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀମାନଙ୍କ ମଧ୍ୟରୁ ଗୋଟିଏ । ଦାବି କରାଯାଏ ଯେ ଏହି ମନ୍ଦିରରେ ନେତାଜୀଙ୍କ ଅସ୍ଥି ରଖାଯାଇଛି । ପ୍ରତିବର୍ଷ ଏହି ମନ୍ଦିରକୁ ଅଗଷ୍ଟ ୧୪ ତାରିଖରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଏ । ୯ ଡିସେମ୍ବର ୨୦୦୧ ରେ ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଏହି ମନ୍ଦିରକୁ ଆସିଥିଲେ । ଏଠାକୁ ଆସି ବାଜପେୟୀ ଲେଖିଥିଲେ, "ମୁଁ ରେଙ୍କୋଜୀକୁ ପୁନର୍ବାର ଆସି ଖୁସି ଅନୁଭବ କରୁଛି, ଯେଉଁଠାରେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନ ସେନାପତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସ୍ମୃତି ସୁରକ୍ଷିତ ଅଛି ।" ଏହି କଥାରୁ ବୁଝାଯାଇପାରେ ଯେ ଭାରତୀୟମାନଙ୍କ ପାଇଁ ଏହି ସ୍ଥାନ କେତେ ମହତ୍ତ୍ୱପୂର୍ଣ୍ଣ । ତେବେ କ'ଣ ସତରେ ରେଙ୍କୋଜୀରେ ନେତାଜୀଙ୍କ ଅସ୍ଥି ଅଛି ?

bose
bose Photograph: (Google)

ଏହା ଏକ ବିବାଦୀୟ ପ୍ରସଙ୍ଗ ହୋଇଥିଲେ ହେଁ ଦାବି କରାଯାଏ ଯେ ସେଠାରେ ନେତାଜୀଙ୍କ ଅସ୍ଥି ରଖାଯାଇଛି । ନେତାଜୀ ବୋଷଙ୍କ ମୃତ୍ୟୁର ତଦନ୍ତ ପାଇଁ ୧୯୯୯ ରେ ଅଟଳ ସରକାର ମୁଖାର୍ଜୀ ଆୟୋଗ ଗଠନ କରିଥିଲେ । ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ମନୋଜ କୁମାର ମୁଖାର୍ଜୀ ରେଙ୍କୋଜୀ ମନ୍ଦିର ଯାଇଥିଲେ ଏବଂ ଯେଉଁ କାଠ ବାକ୍ସରେ ନେତାଜୀଙ୍କ ଅସ୍ଥି ରଖାଯାଇଥିବା ଦାବି କରାଯାଉଥିଲା, ସେହି ବାକ୍ସଟି ତାଙ୍କ ଦ୍ୱାରା ଖୋଲାଯାଇପାରିନଥିଲା । କୁହାଯାଏ ଯେ ସେହି ଦିନ ଜାପାନରେ ଜାତୀୟ ଛୁଟି ଥିଲା, ତେଣୁ କୌଣସି ମେକାନିକ୍ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ଆସିପାରିନଥିଲେ । ତା'ପରେ ମୁଖାର୍ଜୀ ସେଠାରୁ ଚାଲିଯାଇଥିଲେ ଏବଂ ସେ ଭାରତୀୟ ରାଜଦୂତଙ୍କୁ ସେହି ବାକ୍ସ ବିଷୟରେ ରିପୋର୍ଟ ଦେବାକୁ କହିଥିଲେ । ରିପୋର୍ଟରେ କୁହାଯାଇଥିଲା ଯେ ବାକ୍ସ ଭିତରେ ବାଦାମୀ ରଙ୍ଗର କାଗଜରେ ହାଡ଼ର ଖଣ୍ଡ ଏବଂ ହାଡ଼ର ସେଟ୍ ରଖାଯାଇଛି । ନେତାଜୀଙ୍କ ଅନ୍ତିମ ସଂସ୍କାରର ଦେଖାଶୁଣା କରିବାର ଦାୟିତ୍ୱ ନିପ୍ପୋନ ଆର୍ମି ତରଫରୁ ମେଜର ନାଗାତୋମୋଙ୍କୁ ମିଳିଥିଲା । ସେ ଶାହ ନୱାଜ କମିଟିକୁ କହିଥିଲେ, "ବୌଦ୍ଧ ପରମ୍ପରା ଅନୁସାରେ, ମୁଁ ପ୍ରଥମେ ବେକରୁ ଏକ ହାଡ଼କୁ ଦୁଇଟି ଚପଷ୍ଟିକ୍‌ ସାହାଯ୍ୟରେ ଉଠାଇ ବାକ୍ସରେ ରଖିଥିଲି । ତା'ପରେ ଶରୀରର ପ୍ରତି ଅଂଶରୁ ହାଡ଼ ଉଠାଇ ଉଠାଇ ବାକ୍ସରେ ରଖିଥିଲି ।" କ'ଣ ସରକାର ମଧ୍ୟ ଏପରି କିଛି ମାନନ୍ତି ?

bose-embed
bose-embed Photograph: (google)

ମାର୍ଚ୍ଚ ୨୦୦୭ ରେ ଏକ ଆରଟିଆଇର ଜବାବରେ ବୈଦେଶିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅଜୟ ଚୌଧୁରୀ କହିଥିଲେ ଯେ ରେଙ୍କୋଜୀ ମନ୍ଦିରରେ ଏକ ଆଲମାରୀରେ ଦୁଇଟି ମହମବତୀ ମଝିରେ ଥିବା ଏକ ବାକ୍ସରେ ନେତାଜୀଙ୍କ ଅସ୍ଥି ରଖାଯାଇଛି । ସେ କହିଥିଲେ ଯେ ୯X୬ ଇଞ୍ଚର ଏକ ଛୋଟ ବାକ୍ସରେ ତାଙ୍କର ଅସ୍ଥି ସାଇତି ରଖାଯାଇଛି । ସେ ଏହା ମଧ୍ୟ କହିଥିଲେ ଯେ ରେଙ୍କୋଜୀ ମନ୍ଦିରର ମୁଖ୍ୟ ପୂଜାରୀ ୨୩ ନଭେମ୍ବର ୧୯୫୩ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ ସେ ୧୮ ସେପ୍ଟେମ୍ବର ୧୯୪୫ ରୁ ନେତାଜୀଙ୍କ ଅସ୍ଥି ସାଇତି ରଖିଛନ୍ତି । ତେବେ ଏହି ମାମଲାକୁ ନେଇ କିଛି ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe