କନକ ବ୍ୟୁରୋ:  ୨୦୨୬ ମସିହା ଆରମ୍ଭରୁ ହିଁ ସମଗ୍ର ଭାରତରେ ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଭାରତୀୟ ପାଣିପାଗ ବିଭାଗ (IMD) ର ସଦ୍ୟତମ ସୂଚନା ଅନୁଯାୟୀ, ଜାନୁଆରୀ ମାସରେ ଦେଶର ଅଧିକାଂଶ ଭାଗରେ ପ୍ରବଳ ଶୀତ ସହିତ ଶୀତଲହରୀ ଏବଂ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି। ବିଶେଷ କରି ଉତ୍ତର -ପଶ୍ଚିମ ଏବଂ ଉତ୍ତର-ପୂର୍ବ  କିଛି ଭାଗରେ   ଶୀତର ପ୍ରଭାବ ଅଧିକ ରହିବ।  IMD ଅନୁଯାୟୀ, ଜାନୁଆରୀ ମାସରେ ଉତ୍ତର-ପଶ୍ଚିମ ଏବଂ ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହିପାରେ ।   

Advertisment

ଜାନୁଆରିରେ କେବଳ ପ୍ରବଳ ଥଣ୍ଡା ପଡ଼ିବ ତାହା ନୁହେଁ ବରଂ କୁହୁଡ଼ି, ଶୀତ ଲହରୀ ଏବଂ ଅସାଧାରଣ ଭାବରେ କମ୍ ତାପମାତ୍ରା ଦେଶର ଅନେକ ସ୍ଥାନରେ ବିପର୍ଯ୍ୟୟ ସୃଷ୍ଟି କରିପାରେ। ଯାହା ସାଧାରଣ ଜୀବନକୁ ବ୍ୟାହତ କରିପାରେ ।  IMD ଅନୁଯାୟୀ  ଚଳିତ ମାସରେ  ଥଣ୍ଡାର ପ୍ରଭାବ ଦେଶର ଅଧିକାଂଶ ସ୍ଥାନରେ ଅନୁଭୂତ ହେବ। ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ଗୁରୁତର ଭାବରେ ପ୍ରଭାବିତ ହୋଇପାରେ ।  

ଆଇଏମଡି ଅନୁଯାୟୀ, ଉତ୍ତର-ପଶ୍ଚିମ ଭାରତର ପୂର୍ବ ଏବଂ ପଶ୍ଚିମ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର ଏବଂ ଲଦାଖ ଅଞ୍ଚଳରେ ଜାନୁଆରୀରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା ଅନୁଭୂତ ହେବ ।  ହିମାଳୟ ପାର୍ବତ୍ୟାଞ୍ଚଳରେ ହେଉଥିବା ବରଫପାତ ଯୋଗୁଁ ସମତଳ ଅଞ୍ଚଳକୁ ଶୀତଳ ପବନ ବୋହିବ, ଯାହା ଫଳରେ ରାତିର ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିଯାଇପାରେ।

ଅଧିକ ପଢନ୍ତୁ : ରାଜ୍ୟରେ ଶୀତର ଲହରୀ ଜାରି, ଘନକୁହୁଡ଼ି ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ଚଳିତ ମାସରେ ଘନ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି । ବିଶେଷ କରି ସକାଳ ଏବଂ ରାତି ସମୟରେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ 'ଅତି ଘନ' କୁହୁଡ଼ି ଦେଖିବାକୁ ମିଳିବ। ଏହାଫଳରେ ଦୃଶ୍ୟମାନ ଦୂରତା ଶୂନ୍ୟକୁ ଖସି ଆସିପାରେ, ଯାହା ବିମାନ ସେବା, ଟ୍ରେନ୍ ଏବଂ ସଡ଼କ ପରିବହନ ଉପରେ ବଡ଼ ପ୍ରଭାବ ପକାଇବ। ବିହାର ଏବଂ ପଶ୍ଚିମବଙ୍ଗର କିଛି ଅଂଶରେ ମଧ୍ୟ ସକାଳୁଆ କୁହୁଡ଼ି ଦେଖିବାକୁ ମିଳିବ।

ଓଡ଼ିଶାରେ କିଭଳି ରହିବ ପାଣିପାଗ?
 ଚଳିତ ମାସରେ ଓଡ଼ିଶାରେ ଅନ୍ତରୀଣ ଜିଲ୍ଲାଗୁଡ଼ିକରେ ଶୀତର ପ୍ରକୋପ ଅଧିକ ରହିବ । କନ୍ଧମାଳ, କୋରାପୁଟ, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାଗୁଡ଼ିକରେ ତାପମାତ୍ରା ୭ ରୁ ୧୦ ଡିଗ୍ରୀ ମଧ୍ୟରେ ରହିପାରେ । କିଛି ସ୍ଥାନରେ ଶୀତଲହରୀ ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇପାରେ। ଉପକୂଳ ଓଡ଼ିଶାରେ ଶୀତ ତୁଳନାତ୍ମକ ଭାବେ କମ୍ ରହିଲେ ମଧ୍ୟ ସକାଳୁଆ କୁହୁଡ଼ି ଦେଖିବାକୁ ମିଳିବ। ବିଶେଷ କରି ଖୋର୍ଦ୍ଧା, କଟକ, ପୁରୀ ଏବଂ ବାଲେଶ୍ୱର ଅଞ୍ଚଳରେ ମଧ୍ୟମ ଧରଣର କୁହୁଡ଼ି ପରିଲକ୍ଷିତ ହେବ।
 

ଆଇଏମଡି କହିଛି ଯେ ଜାନୁଆରିରେ ଦେଶର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ କମ୍ ରହିବାର ସମ୍ଭାବନା ଅଛି। ଏହାର ଅର୍ଥ ହେଉଛି ରାତିରେ ଅଧିକ ଥଣ୍ଡା ରହିବ। ବିଶେଷକରି ମଧ୍ୟ ଭାରତ, ପୂର୍ବ ଉତ୍ତର ପ୍ରଦେଶ ଏବଂ ବିହାରର କିଛି ଅଞ୍ଚଳରେ ଶୀତ ଲହରୀ ଦିନଗୁଡ଼ିକ ସ୍ୱାଭାବିକ ଠାରୁ ଅଧିକ ତୀବ୍ର ହୋଇପାରେ। ଅନ୍ୟପକ୍ଷରେ, ଉତ୍ତର-ପୂର୍ବ ଭାରତ ଏବଂ ଦକ୍ଷିଣ ଉପଦ୍ୱୀପ ଭାରତର କିଛି ଅଂଶରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ କିମ୍ବା ସ୍ୱାଭାବିକ ଠାରୁ ଟିକିଏ ଅଧିକ ରହିପାରେ ।  କେବଳ ରାତି ନୁହେଁ, ଅନେକ ଅଞ୍ଚଳରେ ଦିନର ସର୍ବାଧିକ ତାପମାତ୍ରା ମଧ୍ୟ ସ୍ୱାଭାବିକଠାରୁ କମ୍ ରହିପାରେ। IMD ଅନୁଯାୟୀ, ଦେଶର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ମଧ୍ୟ ହ୍ରାସ ପାଇପାରେ।  ସୂଚନାଯୋଗ୍ୟ ଯେ, ଏଲ୍-ନିନୋର ପ୍ରଭାବ ହ୍ରାସ ପାଇବା ପରେ ଚଳିତ ବର୍ଷ ଶୀତ ଋତୁ ଅଧିକ ଦିନ ପର୍ଯ୍ୟନ୍ତ ରହିପାରେ ବୋଲି ପୂର୍ବାନୁମାନ କରାଯାଉଛି। ତେଣୁ ଜାନୁଆରି ମାସଟି ସମ୍ପୂର୍ଣ୍ଣ ଭାବେ ଶୀତମୟ ରହିବ ଏବଂ ଅଧିକାଂଶ ସମୟ ଆକାଶ ନିର୍ମଳ ରହିବା ସହ ଥଣ୍ଡା ପବନ ଜାରି ରହିବ ।