କନକ ବ୍ୟୁରୋ: ଜନତା କର୍ଫ୍ୟୁକୁ ପୂରିଲା ୫ ବର୍ଷ । ଆଜିର ଦିନରେ ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଥିଲା, ତା’ପରେ ଦେଶରେ ୬୮ ଦିନର ଲକଡାଉନ୍ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନରେ ୨୦୨୦, ୨୨ ମାର୍ଚ୍ଚର ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ସାରା ଦେଶରେ ଜନତା କର୍ଫ୍ୟୁ ଜାରି କରାଯାଇଥିଲା । କରୋନା ମହାମାରୀକୁ ମାତ୍ ଦେବା ପାଇଁ ଲୋକମାନେ ସ୍ୱେଚ୍ଛାକୃତ ଭାବରେ ଘରୁ ବାହାରକୁ ନଯିବାକୁ ନିଷ୍ପତ୍ତି ନେଇଥିଲେ ।

Advertisment

ପାଞ୍ଚ ବର୍ଷ ପୂର୍ବେ ଆଜିର ଦିନରେ ଦେଶବ୍ୟାପୀ ଜନତା କର୍ଫ୍ୟୁ ଲାଗୁ ହୋଇଥିଲା । ରାସ୍ତାଘାଟରେ ଖେଳିଯାଇଥିଲା ନୀରବତା । ଏହା ଭାରତର ଇତିହାସରେ ପ୍ରଥମଥର ଥିଲା, ଯେତେବେଳେ ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସାରା ଭାରତରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ଆଉ ସଂକ୍ରମଣକୁ ରୋକିବା ପାଇଁ ଜନସାଧାରଣଙ୍କ ଦ୍ୱାରା ଲଗାଯାଇଥିଲା ଜନତା କର୍ଫ୍ୟୁ । ଲୋକମାନେ ବାହାରକୁ ଯିବା ଉପରେ କୌଣସି କଟକଣା ନଥିଲା କିନ୍ତୁ ଏହା ସତ୍ତ୍ୱେ ସାରା ଦେଶବାସୀ ସର୍ବସମ୍ମତିକ୍ରମେ ଘରୁ ବାହାରକୁ ନଯିବାକୁ ନିଷ୍ପତ୍ତି ନେଇଥିଲେ । କରୋନା ମହାମାରୀ ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଏଭଳି ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ  ।

ସନ୍ଧ୍ୟା ୫ଟାରେ ତାଳି ଏବଂ ଥାଳି ବଜାଇଥିଲେ ଦେଶବାସୀ

ଆଜିର ଦିନରେ ଦେଶରେ ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା । ସକାଳ ୭ଟାରୁ ଯେଉଁ ନୀରବତା ରହିଥିଲା, ତାହା ସନ୍ଧ୍ୟା ବେଳକୁ ଏକ ଉତ୍ସବର ରୂପ ନେଇଥିଲା । ଠିକ୍ ସନ୍ଧ୍ୟା ୫ ଟାରେ, ଦେଶର ପ୍ରତ୍ୟେକ କୋଣ ଅନୁକୋଣରୁ ଲୋକମାନେ ଘରର ବାଲକୋନି ଏବଂ ଛାତକୁ ଆସି ତାଳି ମାରିବା, ଥାଳି ଏବଂ ଘଣ୍ଟ ବଜାଇଥିଲେ । ଏପରିକି ଯିଏ ଯାହା ପାଇଲା ତାହା ବଜାଇଲେ । ପ୍ରକୃତରେ, ଦେଶର ସ୍ୱାସ୍ଥ୍ୟ କର୍ମୀଙ୍କୁ ସମ୍ମାନ ଜଣାଇବା ପାଇଁ ଏଭଳି କରିବାକୁ ଆହ୍ୱାନ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସନ୍ଧ୍ୟା ୫ଟାରେ ତାଳି ବଜାଇବାକୁ ଏବଂ ଥାଳି ବଜାଇବାକୁ ଅନୁରୋଧ କରିଥିଲେ ।

ଜନତା କର୍ଫ୍ୟୁ ପରେ ଦେଶ ଦେଖିଥିଲା ୬୮ ଦିନର ଲକଡାଉନ୍

ଜନତା କର୍ଫ୍ୟୁ ୨୨ ମାର୍ଚ୍ଚ ସକାଳ ୭ ଟାରୁ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଚାଲିଥିଲା । ଏହାପରେ ଦୁଇ ଦିନ ପର୍ଯ୍ୟନ୍ତ ସବୁକିଛି ସ୍ୱାଭାବିକ ଭାବରେ ଚାଲିଲା । ହେଲେ ୨୪ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ଲକଡାଉନ୍ ଘୋଷଣା କରିଥିଲେ । ମୋଟ୍ ୨୧ ଦିନର ତାଲା ବନ୍ଦ ଦେଖିଥିଲା ଦେଶ ।  ଏହି ଲକଡାଉନ୍ ଏପ୍ରିଲ ୧୪ରେ ଶେଷ ହେବାର ଥିଲା, କିନ୍ତୁ ସଂକ୍ରମଣ ଏବଂ ମହାମାରୀ ମୃତ୍ୟୁ ସଂଖ୍ୟାକୁ ଦେଖି ଏହାକୁ ବାରମ୍ବାର ବୃଦ୍ଧି କରାଯାଉଥିଲା । ଏହିଭଳି ଭାବେ ଦ୍ୱିତୀୟ ପର୍ଯ୍ୟାୟରେ ଲକଡାଉନ୍ ଅବଧି ୧୯ ଦିନ, ତୃତୀୟ ପର୍ଯ୍ୟାୟରେ ୧୪ ଦିନ ଏବଂ ଚତୁର୍ଥ ପର୍ଯ୍ୟାୟରେ ୧୪ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଏହିପରି ଭାବରେ ଦେଶ ସମ୍ପୂର୍ଣ୍ଣ ୬୮ ଦିନ ପାଇଁ ଲକଡାଉନ୍ ଦେଖିଥିଲା । ଏହି ଲକଡାଉନ୍ ୩୧ ମଇ ପର୍ଯ୍ୟନ୍ତ ଜାରି ରହିଥିଲା । ଏହା ପରେ, ଜୁନ୍ ୧ ରୁ ଧୀରେ ଧୀରେ ଲକଡାଉନ୍ କୋହଳ ହେବାରେ ଲାଗିଲା ।

୧୯୪୭ ମସିହାର ବିଭାଜନ ବେଳେ ଦେଶ ଦେଖିଥିଲା ସମାନ ଚିତ୍ର

ଏହି ଲକଡାଉନ କରୋନା ମହାମାରୀ ସଂକ୍ରମଣକୁ ରୋକିବାରେ କେତେ ସାହାଯ୍ୟ କରିଥିଲା ତାହାର ସଠିକ୍ ତଥ୍ୟ ସ୍ପଷ୍ଟ ହୋଇନି । କିନ୍ତୁ ହଠାତ୍ ଲକଡାଉନ ପରେ ଦେଶ ଏପରି ଏକ ଦୃଶ୍ୟ ଦେଖିଲା ଯାହା ପୂର୍ବରୁ କେବେ ଦେଖାଯାଇନଥିଲା । ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ସହରରୁ ଗାଁ ମୁହାଁ ହୋଇଥିଲେ । ଯେଉଁମାନେ ଗାଡ଼ି ପାଇଲେ, ସେମାନେ ଗାଡ଼ିରେ ଆସିଲେ ଏବଂ ଯେଉଁମାନେ ଗାଡ଼ି ପାଇଲେ ନାହିଁ, ସେମାନେ ଶହ ଶହ କିଲୋମିଟର ଚାଲି ଚାଲି ଘରକୁ ଫେରୁଥିବା ଭଳି ଚିତ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା । ପ୍ରବଳ ଖରା ସାଙ୍ଗକୁ ଦେଶର କୋଣ ଅନୂକୋଣର ଦୟନୀୟ ଚିତ୍ର ସତେ ଯେମିତି ସ୍ୱାଧୀନତା ସମୟରେ ହୋଇଥିବା ବିଭାଜନ କଥା ମନେ ପକାଇଦେଉଥିଲା ।