କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ମତଦାତା ପୁନଃନିରୀକ୍ଷଣ କାମ ଚାଲିଛି । ପ୍ରଥମ ପର୍ଯ୍ୟୟ ମତଦାତା ପୁନଃନିରୀକ୍ଷଣ ସରିବା ପରେ ଭୋଟର ତାଲିକା ପ୍ରକାଶ ପାଇଛି । ହେଲେ ପ୍ରକାଶ ପାଇଥିବା ଭୋଟର ତାଲିକାରେ ହଜାର ହଜାର ଭୁଲ ଦେଖିବାକୁ ମିଳିଛି । କିଛି ଭୋଟରଙ୍କର ନିର୍ବାଚନ ମଣ୍ଡଳୀ ପରିବର୍ତ୍ତନ ହୋଇଛି, ଆଉ କିଛି ଲୋକ ଉପଯୁକ୍ତ ପ୍ରମାଣ ପତ୍ର ଦାଖଲ କରିଥିଲେ ବି ତାଲିକାରେ ନାଁ ନାହିଁ । ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି ବିହାରର ଜମ୍ମୁଇ ଜିଲ୍ଲାରେ । ନିର୍ବାଚନ ଆୟୋଗଙ୍କ ଦସ୍ତାବିଜରେ ଗୋଟିଏ ଘର ଠିକଣାରେ ୨୪୬ ଜଣ ଭୋଟରଙ୍କ ନାମ ପଞ୍ଜିକୃତ ହୋଇଛି । 

Advertisment

ଏହି ଖବର ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ, ହେଲେ ଏହି ମାମଲା ବିଲକୁଲ ସେଭଳି ନୁହେଁ ଯାହା ଆପଣ ଭାବୁଛନ୍ତି । ମତଦାତା ସୂଚୀ ପ୍ରକାଶ ପାଇବା ପରେ ଏବେ ଏଭଳି ହେରଫେର ସାମ୍ନାକୁ ଆସୁଛି ଯାହା ଲୋକଙ୍କୁ ହଇରାଣ କରୁଛି । 

ଏହି ମାମଲା ଜମ୍ମୁଇ ଜିଲ୍ଲାର ସଦର ପ୍ରଖଣ୍ଡ ଅମିନ ଗାଁରୁ ଆସିଛି । ଏଠାରେ ଗୋଟିଏ ଘର ନମ୍ବର ଦିଆଯାଂଇ ୨୦୦ ରୁ ଅଧିକ ମତଦାତାଙ୍କ ନାମ ପଞ୍ଜିକରଣ କରାଯାଇଛି । ଅମିନ ଗାଁର ମତଦାନ କେନ୍ଦ୍ର ସଂଖ୍ୟା ୮୬ ରେ ମୋଟ ଭୋଟରଙ୍କ ସଂଖ୍ୟା ୬୧୮, ଯେଉଁଥିରେ ୨୭୭ ପୁରୁଷ ଓ ୩୪୧ ଜଣ ମହିଳା ମତଦାତା ଅଛନ୍ତି । ହେଲେ ୨୪୬ ଜଣ ମତଦାତାଙ୍କ ଠିକଣା ଗୋଟିଏ ଘର ନମ୍ବର ଦିଆଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଦିଆଯାଇଥିବା ଘର ନମ୍ବରରେ ହିନ୍ଦୁ ଓ ମୁସଲମାନ ଉଭୟ ସମ୍ପ୍ରଦାୟର ଭୋଟର ରହିଛନ୍ତି ।