କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀରର କିସ୍ତୱାଡ଼ ଜିଲ୍ଲାର ଚଶୋଟି ଗାଁରେ ବାଦଲ ଫାଟିବା ପରେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଛି । ଗୁରୁବାର ଦ୍ୱିପ୍ରହର ପ୍ରାୟ ୧୨: ୨୫ ରେ ଘଟିଥିବା ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୪୫ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଦୁଇଜଣ CISF ଯବାନ ମଧ୍ୟ ଥିଲେ । ଏଥିସହିତ ୬୯ ଜଣ ଏବେ ବି ନିଖୋଜ ଥିବା କୁହାଯାଉଛି । ରାତିସାରା ବନ୍ଦ ରହିଥିବା ଉଦ୍ଧାର କାର୍ଯ୍ୟ ଶୁକ୍ରବାର ସକାଳୁ ପୁଣି ଆରମ୍ଭ ହୋଇଛି । ବର୍ଷା ସତ୍ତ୍ୱେ ପୁଲିସ, ସେନା, NDRF, SDRF ଏବଂ ସ୍ଥାନୀୟ ଲୋକ ମାଟି ଅତଡ଼ା ତଳେ ଦବି ରହିଥିବା ଜୀବିତ ଲୋକଙ୍କୁ ଖୋଜିବାରେ ଲାଗିଛନ୍ତି । ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅନେକ ଅର୍ଥ-ମୁଭର୍ସ ନିୟୋଜିତ କରାଯାଇଛି । ଯାହାଦ୍ୱାରା ବଡ଼ ବଡ଼ ପଥର, ଉପୁଡ଼ି ପଡ଼ିଥିବା ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟଗୁଡ଼ିକୁ ସେଠାରୁ ହଟାଯାଉଛି । ଅଧିକାରୀଙ୍କ କହିବାନୁସାରେ, ଏପର୍ଯ୍ୟନ୍ତ ୧୬୭ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସେହି ଭୟଙ୍କର ଦୁର୍ଘଟଣାରୁ ବଞ୍ଚିଥିବା ଲୋକମାନେ ବଖାଣିଛନ୍ତି ଛାତିଥରା କାହାଣୀ । ସେମାନେ କହିଛନ୍ତି , ଆମେ ବିଶ୍ୱାସ କରି ନଥିଲୁ ଯେ ବଞ୍ଚିବୁ ବୋଲି । ସତେ ଯେମିତି ପୂରା ଦୁନିଆ ଧ୍ୱଂସ ହୋଇଗଲା ।  

ସମ୍ପୂର୍ଣ୍ଣ ଗାଁ ଧ୍ୱଂସ:

Advertisment

ଏହି ଭୟଙ୍କର ବିପର୍ଯ୍ୟୟରେ ୧୬ଟି ବାସଗୃହ, ସରକାରୀ କୋଠା, ତିନୋଟି ମନ୍ଦିର, ଚାରୋଟି ପାଣି ଘାଟ ଏବଂ ଏକ ୩୦ ମିଟର ଲମ୍ବା ପୋଲ ଭାସିଯାଇଛି । ଏହି ବନ୍ୟାରେ ଏକ ଡଜନରୁ ଅଧିକ ଗାଡ଼ି ମଧ୍ୟ ନଷ୍ଟ ହୋଇଯାଇଛି । ବନ୍ୟା ଯୋଗୁଁ ଏକ ଅସ୍ଥାୟୀ ବଜାର, ଲଙ୍ଗର ସ୍ଥଳ ଏବଂ ଏକ ସୁରକ୍ଷା ଚୌକି ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । କିସ୍ତୱାଡ଼ରେ ବାଦଲ ଫାଟିବା ଦ୍ୱାରା ପ୍ରଭାବିତ ଲୋକଙ୍କ ଦୁଃଖ ଏବଂ ଯନ୍ତ୍ରଣା ଜିଲ୍ଲା ଡାକ୍ତରଖାନାରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ମଚୈଲ ମାତା ମନ୍ଦିରର ଯାତ୍ରା ପାଇଁ ଯିବାବେଳେ ଚଶୋଟି ଗାଁରେ ଘଟିଥିଲା ଏହି ଭୟଙ୍କର ଘଟଣା । ଏଥିରେ ଆହତ ହୋଇଥିବା ଲୋକ ଏବଂ ସେମାନଙ୍କ ପରିବାର ସଦସ୍ୟମାନେ ସ୍ତବ୍ଧ ହୋଇଯାଇଛନ୍ତି । ନିଜ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ଆଖିରୁ ଲୁହ ଥମିବାର ନାଁ ନେଉନାହିଁ । କିଛି ଲୋକ ଡାକ୍ତରଖାନାରେ ନିଜର ନିଖୋଜ ସମ୍ପର୍କୀୟଙ୍କୁ ଖୋଜିବାକୁ ଆସିଛନ୍ତି । ସେମାନଙ୍କ ହାତରେ ତାଙ୍କ ପ୍ରିୟଜନଙ୍କ ଫଟୋ ଅଛି, ଯାହାକୁ ସେମାନେ ଏହି ଭୀଷଣ ବନ୍ୟାରେ ଖୋଜୁଛନ୍ତି । ଡାକ୍ତରଖାନାର କର୍ମଚାରୀ ମଧ୍ୟ କମ୍ ପଡୁଛନ୍ତି, କିନ୍ତୁ SDRF ର ଯବାନମାନେ ରୋଗୀମାନଙ୍କୁ ୱାର୍ଡ ଏବଂ ଲ୍ୟାବକୁ ନେବାରେ ସାହାଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନେଇ ଦୁଃଖ ଜଣାଇଛନ୍ତି । ଜାମ୍ମୁ-କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଗତକାଲି ମଧ୍ୟାହ୍ନ ସମୟରେ ଆସିଥିବା ବିପର୍ୟ୍ୟୟ ଲୋକଙ୍କ ଭିତରେ ଆତଙ୍କ ଖେଳାଇଦେଇଥିଲା । ମଚେଲ ମାତା ଯାତ୍ରା ପାଇଁ ଶ୍ରଦ୍ଧାଳୁ ମାନେ କିସ୍ତୱାଡ଼ ଜିଲ୍ଲାର ଚସୋତି ଗାଁରେ ଏକଜୁଟ୍ ହୋଇଥିଲେ। ହେଲେ ଅଚାନକ ବାଦଲଫଟା ବର୍ଷା ପ୍ରଳୟ ରଚିଥିଲା । ଜୀବନ ବଂଚାଇବାକୁ ଲୋକମାନେ ଚିତ୍କାର କରୁଥିଲେ । ଆଉ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଦେବଦୁତ ପାଲଟିଲେ ସ୍ଥାନୀୟ ଲୋକ, ଭାରତୀୟ ସେନା ଏବଂ ସ୍ଥାନୀୟ ପ୍ରଶାସନ । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଶତାଧିକ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।