କନକ ବ୍ୟୁରୋ : ପୁଣି ପଦାରେ ପଡିଲା ପାକିସ୍ତାନର ଷଡଯନ୍ତ୍ର । ସୀମାରେ ପଶି ବଡ ଧରଣର ଷଡଯନ୍ତ୍ରର ଜାଲ ବିଛାଇବା ପାଇଁ ଚେଷ୍ଟା କରୁଥିଲା ପାକିସ୍ତାନ୍ । ବାରମ୍ୱାର ଚେତାବନୀ ସତ୍ୱେ ବି ସୁଧୁରୁନି ଶତ୍ରୁ ପାକିସ୍ତାନ୍ । ଜାରି ରଖିଛି ତାର ନାପାକ୍ କାର୍ଯ୍ୟକଳାପ । ଆତଙ୍କବାଦୀଙ୍କ ସହ ସେନା କର୍ମୀ ବି ସାମିଲ୍ ହୋଇ ଷଡଯନ୍ତ୍ର ରଚିଥିବା ଜଣାପଡିଛି । 

Advertisment

ଜମ୍ମୁ-କାଶ୍ମୀର ସୀମାବର୍ତ୍ତି ଅଞ୍ଚଳ ଦେଇ ୭ଜଣ ଆତଙ୍କବାଦୀ ଭାରତ ସୀମାକୁ ପ୍ରବେଶ କରିଥିଲେ । ବଡ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିଲେ । କିନ୍ତୁ ତାଙ୍କର ଏହି ଯୋଜନାକୁ ପଣ୍ଡ କରିଛନ୍ତି ଭାରତୀୟ ଯବାନ । ୭ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ସବୁଠୁ ବଡ କଥା ହେଉଛି ୭ଜଣ ଆତଙ୍କବାଦୀଙ୍କ ମଧ୍ୟରେ ୩ଜଣ ପାକିସ୍ତାନୀ ଆର୍ମୀ ଯବାନ ରହିଥିବା ଜଣାପଡିଛି । 

ମିଳିଥିବା ସୂଚନା ଆଧାରରେ, ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍ (ବିଏଟି) ସହ ମିଶି ଭାରତୀୟ ଯବାନଙ୍କ ଉପରେ ଆତ୍ମଘାତି ଆକ୍ରମଣ ପାଇଁ ଯୋଜନା କରିଥିଲେ ଆତଙ୍କୀ । ନିହତ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଆତଙ୍କବାଦୀ ଗୋଷ୍ଠୀ ଅଲ-ବଦ୍ରର ଆତଙ୍କବାଦୀମାନେ ମଧ୍ୟ ଥିଲେ । ୫ ଫେବୃଆରୀ ୨୦୨୫ରେ ଲାହୋରରେ ଏକ ରାଲିରେ, ଆତଙ୍କବାଦୀ ହାଫିଜ୍ ସଇଦର ପୁଅ ତଲହା ସଇଦ ଭାରତ ବିରୁଦ୍ଧରେ ଏକ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିଲା । ସେ କାଶ୍ମୀରକୁ ମୁକ୍ତ କରିବା ସମେତ ଅନେକ କଥା କହିଥିଲା । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ସମସ୍ତ ସୁରକ୍ଷା ଏଜେନ୍ସିକୁ ଜମ୍ମୁ ଏବଂ କାଶ୍ମୀରରେ ଶୂନ୍ୟ ଅନୁପ୍ରବେଶ ଲକ୍ଷ୍ୟ ହାସଲ କରିବା ପାଇଁ ଆତଙ୍କବାଦ ବିରୋଧରେ ଲଢ଼େଇକୁ ତୀବ୍ର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନୁପ୍ରବେଶ ସମ୍ପର୍କରେ ଗୃହମନ୍ତ୍ରୀ କଡ଼ା ନିର୍ଦ୍ଦେଶ 
ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ସୁରକ୍ଷା ଏଜେନ୍ସିକୁ ଅନୁପ୍ରବେଶ ଏବଂ ଆତଙ୍କବାଦୀ କାର୍ଯ୍ୟ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ସହିତ କହିଥିଲେ ଯେ ଆତଙ୍କବାଦୀଙ୍କ ଅସ୍ତିତ୍ୱକୁ ମୂଳପୋଛ କରିବାକୁ ପଡିବ । ସେ କହିଥିଲେ ଯେ ଡ୍ରଗ୍ସ ଚୋରାଚାଲାଣ ନେଟୱାର୍କ ଅନୁପ୍ରବେଶକାରୀ ଏବଂ ଆତଙ୍କବାଦୀମାନଙ୍କୁ ସେମାନଙ୍କର କାର୍ୟ୍ୟକଳାପ ଚଳାଇବାରେ ସାହାଯ୍ୟ କରୁଛି । ଏହି ବୈଠକରେ ଜମ୍ମୁକାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ ତପନ ଡେକା, ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ଅନ୍ୟାନ୍ୟ ଶୀର୍ଷ ସାମରିକ, ପୋଲିସ ଏବଂ ବେସାମରିକ ଅଧିକାରୀମାନେ ଉପସ୍ଥିତ ଥିଲେ ।