କନକ ବ୍ୟୁରୋ: ଆତ୍ମବିଶ୍ୱାସରେ ଭରପୂର ଜମ୍ମୁ କାଶ୍ମୀର କ୍ରିକେଟ୍ ଦଳ ପ୍ରଥମ ଥର ରଣଜୀ ଟ୍ରଫି ଜିତି ଇତିହାସ ରଚିବା ଦିଗରେ ଧୀରେଧୀରେ ଅଗ୍ରସର ହେଉଛି । ପ୍ରଥମ ପାଳିରେ ୫୮୪ ରନ୍ କରିବା ପରେ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଶକ୍ତିଶାଳୀ କର୍ଣ୍ଣାଟକର ଅଧା ଦଳକୁ ପ୍ୟାଭିଲିୟନ୍ ଫେରାଇ ଦୃଢ଼ ସ୍ଥିତିରେ ରହିଛି । ଅନ୍ୟପକ୍ଷରେ ଅପ୍ରତ୍ୟାଶିତ ଶୀର୍ଷକ୍ରମ ବିଫଳତାର ସମ୍ମୁଖୀନ ହୋଇଥିବା କର୍ଣ୍ଣାଟକ ଗୁରୁବାରର ଖେଳ ବନ୍ଦ ବେଳକୁ ୫ ୱିକେଟ୍ରେ ୨୨୦ ରନ୍ କରି ସଂଘର୍ଷ ଜାରି ରଖିଛି । ହାତରେ ଆଉ ୫ ୱିକେଟ୍ ଥିଲା ବେଳେ ଏବେବି ଦଳ ଜମ୍ମୁ କାଶ୍ମୀରଠାରୁ ପ୍ରଥମ ପାଳି ଅଗ୍ରଣୀ ଲାଭ କରିବାଠୁ ୩୬୫ ରନ୍ ପଛରେ ରହିଛି । ଓପନର୍ ମୟଙ୍କ ଅଗ୍ରୱାଲଙ୍କ ଅପରାଜିତ ଶତକ କର୍ଣ୍ଣାଟକ ଜବାବର ବଳିଷ୍ଠ ଅସ୍ତ୍ର ହୋଇଛି ।
ଏହା ବି ପଢ଼ନ୍ତୁ: ଜାତୀୟ ପାରା ସିଟିଂ ଭଲିବଲ୍: କ୍ୱାର୍ଟରରେ ଓଡ଼ିଶା
ମୟଙ୍କ ୧୩୦ ଓ କୃର୍ତ୍ତିକ କୃଷ୍ଣା ୨୭ ରନ୍ରେ ଅପରାଜିତ ରହିବା ତା’ ପାଇଁ ମଧ୍ୟ କିଛିଟା ଆଶା ସଂଚାର କରିଛି । ଅନ୍ତର୍ଜାତୀୟ କ୍ରିକେଟର୍ ତଥା ଅନ୍ୟତମ ଓପନର୍ କେଏଲ୍ ରାହୁଲ ଓ ଅଧିନାୟକ ଦେବଦତ୍ତ ପଡ଼ିକଲ ବିଫଳ ହେବା ଏବଂ ଅଷ୍ଟାଦଶ ଓଭରର ପଞ୍ଚମ ଓ ଷଷ୍ଠ ବଲ୍ରେ କରୁଣ ନାୟର ଓ ରବିଚନ୍ଦ୍ରନ୍ ସ୍ମରଣ ଖାତା ଖୋଲିବା ପୂର୍ବରୁ ନିଜନିଜ ୱିକେଟ୍ ଫିଙ୍ଗି ଦେବା କର୍ଣ୍ଣାଟକ ବିପର୍ଯ୍ୟୟର ପ୍ରମୁଖ କାରଣ ଥିଲା । ଜମ୍ମୁ କାଶ୍ମୀର ଦ୍ରୁତ ବୋଲର ଆକ୍ବିବ ନବି ହିଁ କର୍ଣ୍ଣାଟକର ସର୍ବାଧିକ କ୍ଷତି ଘଟାଇଥିଲେ । ନିଜ ଶାଣିତ ସିମ୍ ଓ ସୁଇଂ ବୋଲିଂରେ ଘାଇଲା କରି ସେ ହିଁ ରାହୁଲ ଏବଂ ଲଗାତାର ବଲ୍ରେ ନାୟର ଓ ସ୍ମରଣଙ୍କୁ ଶିକାର କରି ନେଇଥିଲେ ।
ଘରୋଇ କ୍ରିକେଟ୍ର ଅନ୍ୟତମ ବଡ଼ ନାମ ଶ୍ରେୟସ୍ ଗୋପାଳ ମଧ୍ୟ ଜମ୍ମୁ କାଶ୍ମୀର ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଆଗରେ ହାର୍ ମାନି ୨୭ ରନ୍ ଆଗକୁ ବଢ଼ି ପାରି ନଥିଲେ । ଏହା ପୂର୍ବରୁ ଜମ୍ମୁ କାଶ୍ମୀର ତା’ର ବୁଧବାର ସ୍କୋର୍ ୫୨୭/୬ରୁ ଖେଳ ଆରମ୍ଭ କରି ଆଉ ୫୭ ରନ୍ରେ ଅବଶିଷ୍ଟ ୪ ୱିକେଟ୍ ହରାଇଥିଲା । କର୍ଣ୍ଣାଟକର ସଫଳତମ ବୋଲର୍ ଭାବେ ପ୍ରସିଦ୍ଧ କୃଷ୍ଣା ୫ ୱିକେଟ୍ ସଫଳତା ଲାଭ କରିଥିଲେ ।ସଂକ୍ଷିପ୍ତ ସ୍କୋର୍: ଜମ୍ମୁ କାଶ୍ମୀର ୧୭୩.୧ ଓଭରରେ-୫୮୪ (ଶୁଭମ ପୁନ୍ଦିର ୧୨୧, ୟାୱେର ହାସନ ୮୮, ସାହିଲ ଲୋତ୍ରା ୭୨, ପାରସ ଡୋଗ୍ରା ୭୦, ଅବଦୁଲ ସମଦ ୬୧, ପ୍ରସିଦ୍ଧ କୃଷ୍ଣ ୫/୯୮, ବିଜୟକୁମାର ବୈଶାକ ୧/୭୫) । କର୍ଣ୍ଣାଟକ ୬୯ ଓଭରରେ-୨୨୦/୫ ( ମୟଙ୍କ ଅଗ୍ରୱାଲ ୧୩୦*, ଶ୍ରେୟସ୍ ଗୋପାଳ ୨୭, କୃତିକ କୃଷ୍ଣା ୨୭*, ଆକ୍ବିବ ନବି ୩/୩୨, ଯୁଦ୍ଧବୀର ସିଂହ ୧/୩୨) ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/26/mayank-agarwal-2026-02-26-22-36-32.jpg)