କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି । ଏଠାରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ସରକାର ଗଠନ କରିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଆସିଲାଣି । ଏହାରି ଭିତରେ ଏକ ଚମକାଇଦେବା ଭଳି ଖବର ଆସିଛି । ଜାମ୍ମୁ-କାଶ୍ମୀରର ଡୋଡା ଆସନରେ ପ୍ରଥମଥର ପାଇଁ ଆମ୍ ଆଦମୀ ପାର୍ଟିର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏନେଇ ଦଳ ତରପରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସୂଚନା ଦିଆଯାଇଛି ।
ଡୋଡା ଆସନରୁ ମେହରାଜ ମଲ୍ଲିକ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀଙ୍କୁ ପାଖାପାଖି ୪ ହଜାର ଭୋଟରେ ପରାଜିତ କରିଛନ୍ତି । ଏହି ବିଜୟ ପରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମେହରାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ମେହରାଜ ମଲ୍ଲିକ ଡୋଡା ଅଞ୍ଚଳରେ ଜଣେ ଲୋକପ୍ରିୟ ନେତା । ଗତ କିଛିବର୍ଷ ହେବ ସେ ଡୋଡା ଅଞ୍ଚଳରେ ଆମ୍ ଆଦମୀ ପାର୍ଟିର ଏକ ମଜବୁତ ସଂଗଠନ ଗଠନ କରିବାରେ ସଫଳ ହୋଇଥିଲେ । ଚଳିତ ନିର୍ବାଚନରେ ଭଷ୍ଟ୍ରାଚାର ବିରୋଧୀ ଅଭିଯାନ, ସୁଶାସନ ଓ ଜନତାଙ୍କ ସେବା ଉପରେ ଜୋର ଦେଇଥିଲେ । ଏହା ତାଙ୍କ ବିଜୟର ଏକ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି ।