କନକ ବ୍ୟୁରୋ: ଆଜି ହରିୟାଣା ଓ ଜମ୍ମୁକାଶ୍ମୀରର ଭାଗ୍ୟ ପରୀକ୍ଷା । ଫଳାଫଳକୁ ନେଇ ଉଭୟ ରାଜ୍ୟ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଛି । ହରିୟାଣାର ୯୦ ଓ ଜମ୍ମୁକାଶ୍ମୀର ୯୦ ଆସନ ପାଇଁ ପଡିଥିବା ଭୋଟରେ କାହାକୁ କେତେ ମିଳିଛି ତାହା କାଲି ସ୍ପଷ୍ଟ ହେବ । ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି ।
ସବୁଠୁ ବଡ କଥା ହେଉଛି ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଜମ୍ମୁ କାଶ୍ମୀରରେ ନିର୍ବାଚନ ହୋଇଛି । ତେବେ କାହାକୁ ମିଳିବ ବହୁମତ ? କିଏ ପିନ୍ଧିବ ବିଜୟ ମୁକୁଟ ? ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା । ସେପଟେ ଚମକାଇ ଦେଇଛି ଏଗଜିଟ ପୋଲ । ବାହୁଡ଼ା ମତ ସତ ହେଲେ ହରିୟାଣାରେ ୧୦ବର୍ଷ ପରେ କଂଗ୍ରେସ ଫେରିବ । ହରିୟାଣାରେ ଫୋକସରେ ଦୁଇ ରାଜନୈତିକ ପରିବାର ରହିଛନ୍ତି ।
ଚୌଟାଲା ଓ ହୁଡ୍ଡା ପରିବାର ମଧ୍ୟରେ ଟକ୍କର ହେବ । ଦଳମାନଙ୍କ ଭିତରେ ବିଜେପି ଓ କଂଗ୍ରେସ ମଧ୍ୟରେ ଦ୍ୱିମୁଖୀ ଲଢ଼େଇ ହେଉଛି । ଗତ ୧୦ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେପି କ୍ଷମତାରେ ଅଛି । ଶାସକ ବିରୋଧୀ ହାୱା ହଟାଇବା ଲକ୍ଷ୍ୟରେ ଗତ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ମନୋହର ଲାଲ ଖଟ୍ଟରଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ପଦରେ ନାଏବ ସିଂ ସୈନିଙ୍କୁ ଦାୟିତ୍ୱ ଦେଇଥିଲା । ମାତ୍ର ଲୋକସଭା ନିର୍ବାଚନରେ କୌଣସି ପ୍ରଭାବ ପକାଇ ନଥିଲା । ଯାହାଫଳରେ କଂଗ୍ରେସ ବିଜେପି ହାତରୁ ୫ଟି ଲୋକସଭା ଆସନ ଛଡାଇବାରେ ସଫଳ ହୋଇଥିଲା ।
ସେପଟେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ଜମ୍ମୁ କାଶ୍ମୀରରେ ନିର୍ବାଚନ ହୋଇଛି । ବୁଥ୍ ବାହୁଡ଼ା ମତ ଅନୁସାରେ ଜମ୍ମୁକାଶ୍ମୀରରେ ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଆକଳନ କରାଯାଇଛି । ହେଲେ ବିଜେପିର ରେସକୁ ବି ଅଣଦେଖା କରାଯାଉନି । ଆଜି ସକାଳ ୮ଟାରୁ ଭୋଟ ଗଣତି ସହ ହରିୟାଣା ଓ ଜମ୍ମୁ କାଶ୍ମୀର ୯୦ ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆରମ୍ଭ ହେବ ।