କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ବର୍ଷା ଭାଙ୍ଗିଛି ୨୭ ବର୍ଷର ରେକର୍ଡ । ଯେଉଁଠି ପ୍ରବଳ ତୁଷାରପାତ ହୁଏ, ସେଠି ବର୍ଷା କାଳ ସାଜିଛି । ବନ୍ୟାରେ ଭାସୁଛି ପାହାଡ଼ିଆ ରାଜ୍ୟର ଅନେକ ଜିଲ୍ଲା । କେଉଁଠି ଭାସିଛି ଘରଦ୍ବାର ତ ପୁଣି କେଉଁଠି ପାହାଡ଼ରୁ ଖସୁଛି ପଥରଖଣ୍ଡ । ଜାତୀୟ ରାଜପଥ ଅବରୋଧ କାରଣରୁ ଯାତାୟାତ ବାଧାପ୍ରାପ୍ତ ହେଉଛି । ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଉଛି ।
/filters:format(webp)/kanak/media/media_files/2025/08/25/jammu-landslide-2025-08-25-14-51-36.jpg)
ଜମ୍ମୁ-କାଶ୍ମୀରରେ ଗତ ୨୪ ଘଣ୍ଟାରେ ସକାଳ ୮.୩୦ ପର୍ଯ୍ୟନ୍ତ ୧୯୦.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅଗଷ୍ଟ ମାସରେ ଗତ ୧୦୦ ବର୍ଷରେ ଦ୍ୱିତୀୟ ସର୍ବ ବୃହତ ବର୍ଷା । ରେକର୍ଡ ଅନୁସାରେ, ସବୁଠାରୁ ଅଧିକ ୨୨୮.୬ ମିମି ବର୍ଷା ୫ ଅଗଷ୍ଟ ୧୯୨୬ରେ ହୋଇଥିଲା । ୧୧ ଅଗଷ୍ଟ ୨୦୨୨ରେ ୧୮୯.୬ ମିମି ବର୍ଷା ହୋଇଥିଲା, କିନ୍ତୁ ଏବେ ଏହି ଆକଳନ ମଧ୍ୟ ପଛରେ ରହିଯାଇଛି । ଜମ୍ମୁରେ ପ୍ରବଳ ବର୍ଷା ହେତୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ନାଳରେ ପାଣି ଭର୍ତ୍ତି ହୋଇଯିବାରୁ ରାସ୍ତା ଜଳମଗ୍ନ ହୋଇଗଲା ଏବଂ ଜାନିପୁର, ରୂପ ନଗର, ତାଲାବ ଟିଲ୍ଲୁ, ଜ୍ୱେଲ ଚୌକ, ନିୟୁ ପ୍ଲଟ ଓ ସଞ୍ଜୟ ନଗର ସହିତ ଅନେକ ଜାଗାରେ ବନ୍ୟା ପାଣି ଘରେ ପଶିଯାଇଛି । ଅନେକ ଘରର କାନ୍ଥ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି,ଯେତେବେଳେକି ପ୍ରାୟ ଏକ ଡଜନ ଗାଡ଼ି ହଠାତ୍ ଆସିଥିବା ବନ୍ୟାରେ ଭାସିଗଲା । ଜମ୍ମୁ-କାଶ୍ମୀରର ଅଧିକାଂଶ ଭାଗରେ ରାତିସାରା ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଅନେକ ନିମ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଜମ୍ମୁ-ପଠାନକୋଟ ନ୍ୟାସନାଲ ହାଇୱେରେ ଏକ ପୋଲ କ୍ଷତିଗ୍ରସ୍ତ ହୋଇଛି । ଅଧିକାରୀମାନେ ଲୋକମାନଙ୍କୁ ଜଳାଶୟ ଏବଂ ଭୂସ୍ଖଳନ ସମ୍ଭାବିତ କ୍ଷେତ୍ରରୁ ଦୂରରେ ରହିବା ପାଇଁ ଆଡଭାଇଜରୀ ଜାରି କରିଛନ୍ତି । ୨୭ ଅଗଷ୍ଟ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସହିତ ଉଚ୍ଚ ସ୍ଥାନରେ ବାଦଲ ଫାଟିବା, ହଠାତ୍ ବନ୍ୟା ଏବଂ ଭୂସ୍ଖଳନର ପୂର୍ବାନୁମାନ କରାଯାଇଛି ।